ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ୍ କୋର୍ଡ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ୍ କୋର୍ଡ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ଶ୍ରୀମନ୍ଦିରରେ ସେବାୟତଙ୍କ ଅାଚରଣ ଓ ଦାନ ଦକ୍ଷିଣା ପ୍ରସଙ୍ଗରେ ପୁରୀ ଜିଲ୍ଲା ଜଜ୍ ଦେଇଥିବା ରିପୋର୍ଟକୁ କାର୍ଯ୍ୟକାରୀ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ଉପରେ କୌଣସି ଅାପତ୍ତି ଥିଲେ କୋର୍ଟଙ୍କୁ ଜଣାଇବାକୁ ମନ୍ଦିରର ପରିଚାଳନା କମିଟିକୁ କୁହାଯାଇଛି । ତେବେ ମନ୍ଦିରରେ ପରିଚାଳନାଗତ ତ୍ରୁଟି ନେଇ ରାଜ୍ୟ ସରକାରଙ୍କୁ ମଗାଯାଇଥିବା ରିପୋର୍ଟ ଦାଖଲ ହୋଇନାହିଁ। ରଥଯାତ୍ରା ଅାଳ ଦେଖାଇ ଏଥିପାଇଁ ଅଧିକ ୨ ସପ୍ତାହ ସମୟ ମାଗିଛନ୍ତି ସରକାର ।

ଶ୍ରୀମନ୍ଦିରରେ ସେବାୟତଙ୍କ ଅାଚରଣ କେମିତି ? ଭକ୍ତ ଦେଉଥିବା ଦାନ ହୁଣ୍ଡି ନା ଅନ୍ୟ କୁଅାଡ଼େ ଯାଉଛି ? ଭକ୍ତଙ୍କ ସୁରକ୍ଷା ପାଇଁ ହୋଇଛି କି ପ୍ରକାରର ବ୍ୟବସ୍ଥା ? ଏ ସବୁକୁ ଗୋଟି ଗୋଟି ଅନୁଧ୍ୟାନ କରି ପୁରୀ ଜିଲ୍ଲା ଜଜ୍ ଦେଇଥିବା ରିପୋର୍ଟକୁ ବିଚାରକୁ ନେଇଛନ୍ତି ସୁପ୍ରିମକୋର୍ଟ । ଏମିତିକି ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ୍ କୋର୍ଡ କରିବାକୁ ମଧ୍ୟ ରିପୋର୍ଟରେ ପ୍ରସ୍ତାବ ରହିଛି । ସେପଟେ ରିପୋର୍ଟରେ ଥିବା ସମସ୍ତ ସଂସ୍କାର ମୂଳକ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ମନ୍ଦିର ପରିଚାଳନା କମିଟିକୁ କହିଛନ୍ତି । କୋର୍ଟ ତା’ ସହ ଭକ୍ତଙ୍କ ଅବଗତି ପାଇଁ ଏହାକୁ ମନ୍ଦିର ୱେବସାଇଟ୍‌ରେ ଛାଡ଼ିବାକୁ ମଧ୍ୟ ନିର୍ଦ୍ଦେଶ ଦିଅାଯାଇଛି । ତେବେ ଜିଲ୍ଲା ଜଜ୍‌ଙ୍କ ପ୍ରସ୍ତାବ ଉପରେ କୌଣସି ଅାପତ୍ତି ଥିଲେ ସୁପ୍ରିମକୋର୍ଟଙ୍କୁ  ଜଣାଇବାକୁୁ କୁହାଯାଇଛି । ଏସବୁ ପ୍ରସ୍ତାବ ଉପରେ ରଥଯାତ୍ରା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଅାମିକସ୍  କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍ ପୁରୀ ଗସ୍ତ କରି ସବୁ ପକ୍ଷଙ୍କ ସହ ବୈଠକ କରି କୋର୍ଟଙ୍କୁ ଜଣାଇବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଅାଯିବ ।

ସେପଟେ ହାଇକୋର୍ଟରେ ଅାଜି ହୋଇଛି ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାର ଶୁଣାଣି । ରଥଯାତ୍ରା ସମୟରେ ଜୟ ବିଜୟ ଦ୍ୱାର ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ଏଥି ସହ ଗୁଣ୍ଡିଚା ମନ୍ଦିର ଓ ମାଉସୀମା’ ମନ୍ଦିରର ସ୍ଥିତି ଅନୁଧ୍ୟାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଅାଜି ASI ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଶ୍ରୀମନ୍ଦିର ବେଢ଼ା ଭିତରେ ଥିବା ଦୁର୍ବଳ ମନ୍ଦିରର ମରାମତି ଅାରମ୍ଭ ହୋଇଥିବା ଦର୍ଶାଯାଇଛି । ସେପଟେ ରଥଯାତ୍ରା ଭିତରେ ଜଗମୋହନ ଓ ନାଟମଣ୍ଡପର ମରାମତି ସହ ଗର୍ଭଗୃହର ସଠିକ୍ ଯାଞ୍ଚ ସାରିବାକୁ ଦାବି କରିଛନ୍ତି ସେବାୟତ ।

You might also like