ବଜ୍ରାଘାତରେ ଆହତ ବ୍ୟକ୍ତିକୁ ମାଟି ଓ ଗୋବରରେ ପୋତିଲେ ଗ୍ରାମବାସୀ

ରାୟଗଡ଼ା: ଯେତେ ସଚେତନ କଲେ ବି ଲୋକମାନଙ୍କ ମନରେ ଅନ୍ଧବିଶ୍ୱାସର ପରଳ ହଟୁ ନାହିଁ। ଚିକିତ୍ସା ବିଜ୍ଞାନର ଉନ୍ନତି ଘଟିଲେ ମଧ୍ୟ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ଲୋକମାନେ ଏହାକୁ ଗ୍ରହଣ କରିବାକୁ ନାରାଜ। ଏମିତି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଞ୍ଜାଙ୍ଗମଣ୍ଡି ଗାଁରେ।

ଗତକାଲି ଜିଲ୍ଲାର କାଶିପୁର ବ୍ଲକ କଞ୍ଜାଙ୍ଗମଣ୍ଡି ଗାଁର ଦୁଇଜଣ ବ୍ୟକ୍ତି ବଜ୍ରାଘାତରେ ଗୁରୁତର ଆହତ ହୋଇଥିଲେ। ଆହତଙ୍କ ନାଁ ହେଲା, ଶଙ୍କର ରାଓ ବିଶୋଇ ଓ ବିଶ୍ୱନାଥ ମାଝୀ।

ଦୁଇଜଣ ଆହତ ହୋଇ ବିଲରେ ପଡ଼ିଥିବା ବେଳେ ଗ୍ରାମବାସୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଦୁହିଁଙ୍କୁ ଡାକ୍ତରଖାନା ନେବା ବଦଳରେ ଆରମ୍ଭ କରି ଦେଇଥିଲେ ଦେଶୀ ଚିକିତ୍ସା। ସେମାନଙ୍କ ଦେହକୁ ମୁହଁ ଯାଏ ମାଟି ଓ ଗୋବରରେ ସମ୍ପୂର୍ଣ୍ଣ ପୋତି ଦେଇଥିଲେ। ପରେ ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀଙ୍କ ଅନୁରୋଧ କ୍ରମେ ଦୁଇଜଣଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।

You might also like