ଦୁର୍ଗମ ଅଞ୍ଚଳକୁ ବାଇକ୍ରେ ଯାଇ ସ୍ଥିତି ପରଖିଲେ ଜିଲ୍ଲାପାଳ
ସୁନ୍ଦରଗଡ଼: ସ୍ୱାଧୀନତାର ଏତେ ବର୍ଷ ପରେ ବି କରୁଆଡ଼େରାରେ ପହଞ୍ଚି ପାରିନି ସରକାରଙ୍କ ବିକାଶ ରଥ। ଗାଁକୁ ରାସ୍ତା ନାହିଁ କି ପିଇବା ପାଣି ପାଇଁ ନଳ କୂଅଟିଏ ବି ନାହିଁ। ବର୍ଷା ହେଲେ ଡିବିରି ଆଲୁଅ ସାହା ଭରସା। ଗାଁକୁ ଆମ୍ବୁଲାନ୍ସ ଯାଇ ପାରୁ ନ ଥିବାରୁ ଗୁରୁତର ରୋଗୀ ଖଟିଆରେ ବୁହା ହୁଅନ୍ତି।
କିନ୍ତୁ ଏବେ ବଣ ପାହାଡ଼ ଘେରା ସୁନ୍ଦରଗଡ଼ ଜିଲ୍ଲାର ଅପହଞ୍ଚ ଅଞ୍ଚଳ କରୁଆଡ଼େରାରେ ପହଞ୍ଚିବ ବିକାଶ। ଆଉ ଲୋକଙ୍କୁ ମିଳିବ ସମସ୍ତ ସରକାରୀ ସୁବିଧା। ରାସ୍ତା ଠାରୁ ଆରମ୍ଭ କରି ବିଦ୍ୟୁତ, ଜଳ, ସ୍ୱାସ୍ଥ୍ୟ ସେବା ଯଥାଶୀଘ୍ର ଯୋଗାଇ ଦେବାକୁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଛନ୍ତି।
ଗାଁକୁ ଚାରିଚକିଆ ଯାନ ଯିବାର ସୁବିଧା ନଥିବାରୁ ମୋଟର ସାଇକେଲରେ ବସି ଲୋକଙ୍କ ସମସ୍ୟା ଜାଣିବାକୁ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଗାଁକୁ ଯାଇଛନ୍ତି। ଲୋକଙ୍କ ସହ ଆଲୋଚନା କରି ଯଥାଶୀଘ୍ର ସମସ୍ତ ସୁବିଧା ଯୋଗାଇ ଦେବାକୁ ସାଙ୍ଗରେ ଥିବା ସରକାରୀ ଅଧିକାରୀଙ୍କୁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲପାଳଙ୍କ ଅଚାନକ ଗସ୍ତ ପରେ କରୁଆଡ଼େରା ବାସିନ୍ଦା ଯେତିକି ଆଶ୍ଚର୍ଯ୍ୟ ହୋଇଛନ୍ତି ସେତିକି ଖୁସି ମଧ୍ୟ ହୋଇଛନ୍ତି। ଖୋଦ୍ ଜିଲ୍ଲାପାଳଙ୍କ ଅଚାନକ ଅଞ୍ଚଳ ପରିଦର୍ଶନରେ ଆସି ସମସ୍ତ ସୁବିଧା ଯୋଗାଇ ଦେବା ପ୍ରତିଶୃତି ଦେବା ପରେ ବହୁ ଆଶା ବାନ୍ଧି ବସିଛନ୍ତି କରୁଆଡ଼େରା ବାସିନ୍ଦା।
ତେଣୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ପ୍ରାଥମିକତା ଭିତ୍ତିରେ ଏ ଅଞ୍ଚଳକୁ ଗୁରୁତ୍ୱ ଦିଆଯାଇ ଉନ୍ନୟନମୂଳକ କାର୍ଯ୍ୟ କରାଯିବ ବୋଲି ଟାଙ୍ଗରପାଲି ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ କହିଛନ୍ତି।
(ସୁନ୍ଦରଗଡ଼ରୁ ବିଜୟ ବରୁଆଙ୍କ ରିପୋର୍ଟ)