ଆନ୍ଦୋଳନରତ ଅଧ୍ୟାପକଙ୍କ ସମର୍ଥନରେ ବାହାରିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର, ପୁରୀ, ସମ୍ବଲପୁର ଓ ବାଲେଶ୍ୱର ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଛାତ୍ରଛାତ୍ରୀଙ୍କ ଧାରଣା, ନାରାବାଜି। ଦାବି ପୂରଣ ନେଇ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନକୁ ଆଜି ଏମିତି ଢଙ୍ଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ମିଳିଛି ସମର୍ଥନ।

ମାଟ୍ରିକ ଖାତା ମୂଲ୍ୟାୟନର ଠିକ୍ ଗୋଟିଏ ଦିନ ଆଗରୁ ଅର୍ଥାତ୍ ମାର୍ଚ୍ଚ ୧୯ରୁ ଆରମ୍ଭ ହୋଇଥିବା ଶିକ୍ଷକଙ୍କ ଆନ୍ଦୋଳନକୁ ପାଖାପାଖି ୨୦ଦିନ ବିତିଲାଣି। ଯୁକ୍ତ ଦୁଇ ମୂଲ୍ୟାୟନ ବର୍ଜନକୁ ବି ୬ଦିନ ପୂରିଲାଣି। ଉଚ୍ଚଶିକ୍ଷା ବିଭାଗର ସୂଚନା ଅନୁସାରେ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖିବା ପାଇଁ ୫,୮୦୦ ଶିକ୍ଷକଙ୍କୁ ଡକା ଯାଇଥିଲା, ହେଲେ ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ ୪୮୮ ଏବଂ ୬୬୨ବର୍ଗର ଅଧ୍ୟାପକଙ୍କ ଆନ୍ଦୋଳନ ଯୋଗୁଁ ଅଧାରୁ ଅଧିକ ପରୀକ୍ଷକ ଯୋଗ ଦେଇନାହାନ୍ତି। ତାଙ୍କ ସ୍ଥାନରେ ଡିଗ୍ରୀ କଲେଜ ଅଧ୍ୟାପକ ଓ ଅବସରପ୍ରାପ୍ତ ପ୍ରଫେସରଙ୍କୁ ଖାତା ଦେଖାରେ ନିୟୋଜିତ କରାଯାଇଛି। ଯାହାକୁ ବିରୋଧ କରୁଛନ୍ତି ଛାତ୍ରଛାତ୍ରୀ ଓ ଅଧ୍ୟାପକ।

ସଂଶୋଧିତ ଦରମା ପାଇଁ ଲିଖିତ ସତ୍ୟପାଠକୁ ବିରୋଧ ସାଙ୍ଗକୁ ଅନ୍ୟ ୬ଦଫା ଦାବିରେ ଚାଲିଛି ଶିକ୍ଷକଙ୍କ ଆନ୍ଦୋଳନ। ଆନ୍ଦୋଳନର ୨୦ ଦିନ ପରେ ବି ସେମାନଙ୍କ ସମସ୍ୟା ସମାଧାନ ପାଇଁ ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇନାହିଁ। ଆଉ ଏଭଳି ସ୍ଥିତିରେ ଯୁକ୍ତ ଦୁଇ ମୂଲ୍ୟାୟନ ବର୍ଜନ ନିଷ୍ପତ୍ତିରେ ଅଟଳ ଶିକ୍ଷକ ଓ ଅଧ୍ୟାପକଙ୍କ ବିରୋଧରେ ସିଏଚ୍ଏସ୍ଇ ପକ୍ଷରୁ ଥାନାରେ ଏତଲା ଦିଆଯିବ ବୋଲି ଦୁଇ ଦିନ ତଳେ ଚେତାବନୀ ପରେ  ପ୍ରତିବାଦର ସ୍ୱରକୁ ଅଧିକ ଶାଣିତ କରିଛି ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ତେବେ ଏ ନେଇ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

ସରକାର ଶୁଣୁନାହାନ୍ତି, ଜିଦ୍‌ରେ ଅଟଳ ଶିକ୍ଷକ ଓ ଅଧ୍ୟାପକ। ଏଭଳି ସ୍ଥିତିରେ ନିର୍ଦ୍ଧାରିତ ସମୟ ଅର୍ଥାତ୍ ଆସନ୍ତା ମେ ଶେଷ ସପ୍ତାହରେ +୨ ରେଜଲ୍ଟ ପ୍ରକାଶ ପାଇବା ନେଇ ବି ସୃଷ୍ଟି ହୋଇଛି ଆଶଙ୍କା।

You might also like
Comments
Loading...