ବିଜେଡିର ବିଜେପୁର ବିଜୟ ପଛରେ କାମ କଲା କେଉଁ ଷ୍ଟ୍ରାଟେଜି : ବିକାଶର ପ୍ରତିଶ୍ରୁତି ଓ ସୁବଳଙ୍କ ଅନୁକମ୍ପା ଭୋଟ୍ ଟାଣିଥିବା ଚର୍ଚ୍ଚା

ଭୁବନେଶ୍ୱର : ସୁବଳଙ୍କ ପତ୍ନୀ ରୀତାଙ୍କୁ ବିଜେଡି ଆଣିବା ଥିଲା ବିଜେପୁର କବଜା ପାଇଁ ପ୍ରସ୍ତୁତ ହୋଇଥିବା ରଣନୀତିର ପ୍ରଥମ ସଫଳ ଫର୍ଦ୍ଦ।  ରିତାଙ୍କ ଆଖିରୁ ଲୁହ ଯେତିକି ଝରିଲା ବିଜେଡି ଖାତାକୁ ଅନୁକମ୍ପାର ଭୋଟ ସେତିକି ଚଢିଲା। ରୀତାଙ୍କୁ ଆଣିବା ଆଗରୁ ବିଜେପୁର ବାଜିରେ ଏକ ଗୋଟି ବି ଚଳାଇଥିଲା ବିଜେଡି। ପଶ୍ଚିମ ଓଡିଶାରେ ଦଳର ଚେହେରା କୁହାଯାଉଥିବା ନେତାଙ୍କ ଜରିଆରେ ଲୋକଙ୍କ ସମସ୍ୟାର କାରଣ ଖୋଜିଥିଲା ଦଳ। କେଉଁ ଗାଁରେ କ’ଣ କାମ ଦରକାର ତାର ତାଲିକା ପ୍ରସ୍ତୁତ ହେଲା ଓ ସେହି ଅନୁସାରେ ତରବରିଆ କାମ ବି ହେଲା।  ଏହାକୁ ବଳ ଯୋଗାଇଲା ମୁଖ୍ୟମନ୍ତ୍ରୀଙ୍କର ଗୋଟିକ ପରେ ଗୋଟିଏ ଘୋଷଣା। ଯେମିତିକି ବିଜେପୁରରକୁ ଏନଏସି, ସବରେଜିଷ୍ଟ୍ରାର ଅଫିସ ଓ ସର୍ବୋପରି ଗଙ୍ଗାଧର ମେହେରଙ୍କ ନାଁରେ ୧୨୫୦ କୋଟିର ଜଳସେଚନ ପ୍ରକଳ୍ପ।

୧୪ ବର୍ଷ ଧରି ସରକାରୀ ଦଳ ଠାରୁ ଦୂରରେ ରହି ବନବାସର ଦଣ୍ଡ ଭୋଗୁଥିବା ଭୋଟରଙ୍କୁ ଲାଗିଲା ସରକାରୀ ଦଳ ସହ ରହିଲେ ହିଁ ବିକାଶ ହେବ। ଭୋଟରଙ୍କ ମନରେ ଏ ବିଶ୍ୱାସ ଜନ୍ମାଇବା ଥିଲା ବିଜେଡିର ବିଜେପୁର ରଣନୀତିର ଦ୍ୱିତୀୟ ଫର୍ଦ୍ଦ। ତୃତୀୟ ସଫଳ ଷ୍ଟ୍ରାଟେଜୀ ଥିଲା ନିର୍ବାଚନ ପରିଚାଳନାର ଅଭେଦ୍ୟ ଦୁର୍ଗ। ପ୍ରତି ପଞ୍ଚାୟତରେ ଦଳର ବିଧାୟକ ଓ ପୂର୍ବତନ ବିଧାୟକ ଡେରା ପକାଇଲେ। ବ୍ଲକ ଜଗିଲେ ପଶ୍ଚିମ ଓଡିଶାର ଚେହେରା ପ୍ରସନ୍ନ ଆଚାର୍ଯ୍ୟ, ସୁଶାନ୍ତ ସିଂ, ନିରଂଜନ ପୂଜାରୀ, ସ୍ନେହାଙ୍ଗୀନି ଛୁରିଆ, ଦେବେଶ ଆଚାର୍ଯ୍ୟଙ୍କ ପରି ନେତା। ଆଉ ପ୍ରଛଦପଟରେ ରହିଲେ ଉପକୂଳର ନେତା ଅରୁଣ,ସଂଜୟ, ଅତନୁ ଓ ପ୍ରଣବଙ୍କ ପରି ଯୁବ ନେତା ଓ ସଂଖ୍ୟାଧିକ ବିଧାୟକ। ଏ ଦୁର୍ଗକୁ ଭେଦ କରିବା ପ୍ରତିପକ୍ଷ ପାଇଁ ଶେଷ ଯାଏଁ ସହଜ ହୋଇପାରିଲାନି।

ଏପଟେ ପଞ୍ଚାୟତରେ ବିଜେପୁର ନିର୍ବାଚନ ମଣ୍ଡଳୀରେ ୯୧ ହଜାର ଭୋଟ ପାଇଥିବା ବିଜେପି ନିଜ ଭୋଟକୁ ଅକ୍ଷୁର୍ଣ ରଖିବା ପାଇଁ କରିଥିବା ରଣନୀତି। ଫେଲ ମାରିଲା ଦଳ। ବାହାରୁ ପ୍ରାର୍ଥୀ ଆଣି ବିଜେପି ମଇଦାନକୁ ଓହ୍ଲାଇଥିବାରୁ ପୁରୁଣା ବିଜେପି କର୍ମୀ ଏହାକୁ ପୂର୍ଣ୍ଣ ପ୍ରାଣରେ ସମର୍ଥନ କଲେନି। ଜିଲ୍ଲା ସଭାପତି ଓ ଅନ୍ୟ କିଛି ନେତା ଦଳ ଛାଡିଲେ। ଯଦିଓ ବିଜେଡି ପରି ଦଳର ପଶ୍ଟିମ ଓଡିଶା ଚେହେରା କେଭି ସିଂ ଦେଓ ପ୍ରଦୀପ ପୁରୋହିତ ଓ ବସନ୍ତ ପଣ୍ଡାଙ୍କ କାନ୍ଧରେ ପୁରା ଦାୟିତ୍ୱ ଥିଲା। ତଥାପି ନିର୍ବାଚନ ପରିଚାଳନା କେଉଁଠି କେଉଁଠି ଫେଲ୍ ମାରିଲା। କେଉଁ ଗାଁର କେଉଁ ଓ୍ୱାର୍ଡ ଓ ପଞ୍ଚାୟତରେ ଦଳ ପାଇଥିବା ଭୋଟ ଭାଙ୍ଗି ବିଜେଡି ଆଡକୁ ଯାଉଛି ତାର ଟେର ପାଇଲେନି। ନେତା କୁମ୍ଭାରୀ ଓ ବନାବିରା ହିଂସା ଦଳ ବିରୋଧରେ ହାଓ୍ୱା ତିଆରି କରିବାର ସୁଯୋଗ ସୃଷ୍ଟି କଲା।

ବିଜେପୁରରେ ବିଜେପି ଦେଉଥିବା ଅବହେଳିତ ଅସୁରକ୍ଷିତ ଓ ଅପମାନିତର ନାରା  ଭୋଟରଙ୍କ ମନକୁ ଛୁଇଁଲା ନାହିଁ। ସର୍ବୋପରି ପଞ୍ଚାୟତରେ ବିଭାଜିତ ହୋଇ ଦଳର ଖାତାକୁ ଆସିଥିବା ଭୋଟକୁ ଦଳ ରଖିପାରିଲା ନାହିଁ ।ଗତ ଦୁଇଦଶନ୍ଧିରେ ଓଡ଼ିଶାବାସୀ ପ୍ରାୟ ୧୦ଟି ଉପନିର୍ବାଚନ ଦେଖିଲେଣି, ହେଲେ ବିଜେପୁର ସବୁଦଳ ପାଇଁ ଅନେକ ନୂଆ ଶିକ୍ଷା ନେଇ ଆସିଛି।

You might also like