ଶ୍ରୀଜଗନ୍ନାଥଙ୍କ ଅଜ୍ଞାତବାସର କାହାଣୀ

ପରମ ରହସ୍ୟମୟ ଠାକୁର ଶ୍ରୀଜଗନ୍ନାଥ। ଶ୍ରୀକ୍ଷେତ୍ର ହେଉଛି ତାଙ୍କର ପ୍ରମୁଖ ଲୀଳାକ୍ଷେତ୍ର। ଏହି ସ୍ଥାନରେ ଜଗନ୍ନାଥ ବିଜେ କରିଛନ୍ତି। ଅତୀତରେ ବିଧର୍ମୀମାନଙ୍କ କବଳରୁ ଶ୍ରୀବିଗ୍ରହମାନଙ୍କୁ ରକ୍ଷା କରିବା ପାଇଁ କେତେବେଳେ ଶ୍ରୀମନ୍ଦିରରୁ ସାମୟିକ ଭାବେ ସ୍ଥାନାନ୍ତରିତ ହୋଇଛନ୍ତି ତ’ କେବେ ପାତାଳି ହୋଇ ଗୁପ୍ତରେ ରହି ସେବା ପାଇଛନ୍ତି। ତେଣୁ ମହାପ୍ରଭୁଙ୍କର ଅନେକ ଗୁପ୍ତରହଣି କ୍ଷେତ୍ର ଏବେ ବି ମୂକସାକ୍ଷୀ ହୋଇ ଇତିହାସକୁ ବାଟ କଢ଼ାଉଛି। ମାଦଳା ପାଞ୍ଜିରୁ ଜଣାଯାଏ ୧୫୭୮ରୁ ୧୭୩୩ ମସିହା ପର୍ଯ୍ୟନ୍ତ ପ୍ରାୟ ୧୬୫ ବର୍ଷ ଧରି କ୍ରମାଗତ ଭାବେ ଆଫଗାନୀ ଓ ମୋଗଲମାନଙ୍କ ଦ୍ୱାରା ପୁରୀ ଶ୍ରୀମନ୍ଦିର ଉପରେ ବହୁବାର ଆକ୍ରମଣ କରାଯାଇଥିଲା।

ଶ୍ରୀମନ୍ଦିର ଉପରେ ହୁଏ ବାରମ୍ୱାର ଆକ୍ରମଣ

ହିନ୍ଦୁମାନଙ୍କର ଧର୍ମୀୟ ଭାବନାକୁ ଧ୍ୱଂସ କରିଦେବା ପାଇଁ ବିଧର୍ମୀମାନେ  ଆପ୍ରାଣ ଉଦ୍ୟମ କରିଥିଲେ। ରକ୍ତବାହୁ ଠାରୁ ଆରମ୍ଭ କରି କଳାପାହାଡ଼ ଏବଂ ତକୀ ଖାଁ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ବିଗ୍ରହଙ୍କୁ ଧ୍ୱଂସ କରିବାର ଅପପ୍ରୟାସ କରିଥିଲେ। ଧନସଂପତ୍ତି ଲୁଣ୍ଠନ କରିବା ସହିତ ହିନ୍ଦୁ ଧର୍ମାବଲମ୍ୱୀମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେବା ଉଦେଶ୍ୟରେ ଶ୍ରୀମନ୍ଦିର ଉପରେ ହୁଏ ବାରମ୍ୱାର ଆକ୍ରମଣ। ଅଠରଥର ବର୍ବର ଆକ୍ରମଣ ହୋଇଛି ଶ୍ରୀମନ୍ଦିର ଉପରେ। ତା’ ମଧ୍ୟରୁ ୧୭ଥର ଶ୍ରୀବିଗ୍ରହମାନଙ୍କୁ ମନ୍ଦିର ବାହାରକୁ ନିଆଯାଇଛି।

ଶ୍ରୀଜଗନ୍ନାଥଙ୍କର ଲୀଳା ବିଚିତ୍ର

ଇତିହାସ କହେ ବାରମ୍ୱାର ଶ୍ରୀମନ୍ଦିର ଉପରେ ପଡ଼ିଛି ବାହ୍ୟଶତ୍ରୁଙ୍କର ଲୋଲୁପ ଦୃଷ୍ଟି। ମହାପ୍ରଭୁଙ୍କୁ ଶତ୍ରୁହାତରେ ନ ପଡ଼ିବା ପାଇଁ ଭକ୍ତମାନେ ଅନେକ ପ୍ରୟାସ କରିଥିଲେ। ଶ୍ରୀମନ୍ଦିର ଉପରେ ଆକ୍ରମଣ ବେଳେ ଅନେକ ସ୍ଥାନରେ ଶ୍ରୀବିଗ୍ରହଙ୍କୁ ପାତାଳି କରିଥିଲେ ଭକ୍ତମାନେ। ହେଲେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ଲୀଳା ବି ବିଚିତ୍ର। ପ୍ରଶ୍ନ ଉଠୁଛି ସଂସାରର ଯିଏ ସୃଷ୍ଟି କର୍ତ୍ତା ଓ ତ୍ରାଣକର୍ତ୍ତା, ସେ କ’ଣ କରିପାରନ୍ତି ଆତ୍ମଗୋପନ? ଯିଏ ରକ୍ଷାକର୍ତ୍ତା ସେ କାହିଁକି ଚାହିଁଲେ ସୁରକ୍ଷା। ଏମିତି କିଛି ଅସମାହିତ ପ୍ରଶ୍ନ ଆଜିବି ଅନେକଙ୍କ ପାଇଁ ରହସ୍ୟ ହୋଇରହିଛି।

ପ୍ରଭୁଙ୍କୁ ସୁବର୍ଣ୍ଣପୁରର ତ୍ରିକୁଟ ପର୍ବତରେ ଲୁଚାଇ ରଖାଯାଇଥିଲା

ମାଦଳାପାଞ୍ଜି ଅନୁଯାୟୀ ଶୋଭନ ଦେବଙ୍କ ରାଜତ୍ୱକାଳରେ ରକ୍ତବାହୁ ସମୁଦ୍ର ପଥରେ ଆସି ପୁରୀ ଆକ୍ରମଣ କରିଥିଲେ। ରକ୍ତବାହୁର ଆକ୍ରମଣରୁ ଶ୍ରୀବିଗ୍ରହମାନଙ୍କର ସୁରକ୍ଷା ପାଇଁ ତତ୍କାଳୀନ ରାଜା ଶୋଭନ ଦେବ ବିଗ୍ରହମାନଙ୍କୁ ନଦୀପଥରେ ନୌକା ଦ୍ୱାରା ଆଣି ସୁବର୍ଣ୍ଣପୁରର ତ୍ରିକୁଟ ପର୍ବତରେ ଲୁଚାଇ ରଖିଥିଲେ। ତାର ସ୍ୱାକ୍ଷର ବହନ କରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବୀରମହାରାଜପୁର ସ୍ଥିତ କୋଟସମଲାଇ ସ୍ଥିତ ତିକୁଟ ପାହାଡ଼ର ଏହି ଗୁମ୍ଫ।। ଏହି କ୍ଷେତ୍ରରେ ମହାପ୍ରଭୁଙ୍କୁ ଦୀର୍ଘ ୧୪୪ବର୍ଷ ଧରି ପାତାଳି କରାଯାଇଥିଲା। ଏହାକୁ ଶ୍ରୀବିଗ୍ରହଙ୍କ ଅଜ୍ଞାତବାସ କୁହାଯାଏ। ସ୍ୱୟଂ ଜଗନ୍ନାଥ ଏହି ପାହାଡ଼ରେ ଛଳନା ବା ଲୀଳାକରି ରହିଥିବାରୁ ଏହି ପାହାଡ଼କୁ ‘ଛଳିଆ ପାହାଡ଼’ ମଧ୍ୟ କୁହାଯାଏ। ୧୯୮୨ମସିହା ମାର୍ଚ୍ଚ ୨୧ରେ ପଣ୍ଡିତ ସଦାଶିବ ରଥଶର୍ମା ମାଦଳାପାଞ୍ଜିରୁ ପାଇଥିବା ତଥ୍ୟକୁ ଆଧାରକରି ଏ ସ୍ଥାନ ଦର୍ଶନ କରିବାକୁ ଆସିଥିଲେ। ଛଳିଆ ପାହାଡ଼ର ଉପର ଭାଗରେ ଦାରୁଦେବତାଙ୍କୁ ପୋତି ଦିଆଯାଇଥିବାରୁ ଏ ସ୍ଥାନ ‘ପାତାଳି ଶ୍ରୀକ୍ଷେତ୍ର’ ଭାବେ ପରିଚିତ।

ଶ୍ରୀବିଗ୍ରହଙ୍କୁ ପାତାଳୀ କରିବାର ୧୪୪ବର୍ଷ ପରେ ସୋମବଂଶୀୟ ରାଜା ଯଯାତି କେଶରୀ ଶ୍ରୀବିଗ୍ରହମାନଙ୍କୁ ଉଦ୍ଧାର କରି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ଥାପନ କରିଥିଲେ। ଛଳିଆ ପାହାଡ଼ର ପାଦଦେଶରେ ମନୋରମ ପ୍ରାକୃତିକ ପରିବେଶରେ ୨୦୦୬ ମସିହାରୁ ପ୍ରତିବର୍ଷ ପାତାଳି ମହୋତ୍ସବ ଅନୁଷ୍ଠିତ ହୋଇଆସୁଛି।

ସୁବର୍ଣ୍ଣପୁର ଜିଲ୍ଲାରେ ଜଗନ୍ନାଥ ସଂସ୍କୃତିର ଅନେକ ଉଦାହରଣ ଦେଖିବାକୁ ମିଳିଥାଏ। ଏମିତିକି ଗାଁ ଗାଁରେ ଜଗନ୍ନାଥ ମନ୍ଦିରମାନ ପ୍ରତିଷ୍ଠା କରାଯାଇଛି। ତ୍ରିକୁଟ ପାହାଡ଼ରେ ଠାବ ହୋଇଥିବା ବିଭିନ୍ନ ଗୁମ୍ଫ। ମଧ୍ୟରେ ରହିଛି ମାଧବ ଗୁମ୍ପା, ଧ୍ୱନି ଗୁମ୍ପା, ରାଣୀ ଖୋଲଗୁମ୍ପା, ଦାରୁକୋଣ ଗୁମ୍ପା। ତା’ ଛଡ଼ା ବିଶ୍ୱାସର ଅନେକ ପ୍ରତୀକ ସାମ୍ନାକୁ ଆସିଥାଏ।

ଜଗନ୍ନାଥ ସଂସ୍କୃତିର ଗନ୍ତାଘର ସୁବର୍ଣ୍ଣପୁର। ତ୍ରିକୁଟ ପାହାଡ଼ରେ ଠାବ ହୋଇଥିବା ମାଧବ ଗୁମ୍ଫାରେ ବି ଶ୍ରୀଜଗନ୍ନାଥଙ୍କ ସ୍ମୃତିକୁ ବହନ କରାଯାଇଛି। ପାହଡ଼ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ଥାପନ କରି କିଛି ଭକ୍ତ ଏଠାରେ ଏକ ଅସ୍ଥାୟୀ ମନ୍ଦିର ମଧ୍ୟ ତିଆରି କରିଛନ୍ତି। ପର୍ବପର୍ବାଣୀ ସମୟରେ ଭକ୍ତମାନେ ସଂକୀର୍ତ୍ତନ କରି ମହାପ୍ରଭୁଙ୍କର ପୂଜାର୍ଚ୍ଚନା କରିଥାନ୍ତି।

ବଡ଼ ବିତିତ୍ର ସେ ରହସ୍ୟମୟ କଳାଠାକୁର ଓ ପବିତ୍ରମୟ ଏଇ ଛଳିଆ ପାହାଡ଼। ସେଦିନର କୋଟସମଲାଇର ଘନ ଜଙ୍ଗଲ ଏବେ ଆଉ ନାହିଁ। ଛଳିଆ ପାହାଡ଼ କ୍ରମେ ଲଣ୍ଡା ହୋଇଆସିଲାଣି। ହେଲେ ଜଗନ୍ନାଥମୟ ହୋଇଉଠିଛି ଏହି ପବିତ୍ର ସ୍ଥାନ।

ଖୋର୍ଦ୍ଧା ଜିଲ୍ଲା ନଇରୀ ଗାଁରେ ବିଜେ କରିଥିଲେ ମହାପ୍ରଭୁ

ରହସ୍ୟମୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ। ଇତିହାସ କହେ ଅତୀତରେ ଖୋର୍ଦ୍ଧା ଜିଲ୍ଲା ନଇରୀ ଗାଁରେ ବିଜେ କରିଥିଲେ ମହାପ୍ରଭୁ। ଏଠାରେ ୭ମାସ ୨୭ଦିନ ଧରି ମହାପ୍ରଭୁଙ୍କୁ ରଖାଯାଇଥିଲା। ଶ୍ରୀ ଜଗନ୍ନାଥ ନଇରୀରେ ଥିବାବେଳେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା। ଆଉ ନଇରୀ ପାଲଟିଥିଲା ଶ୍ରୀକ୍ଷେତ୍ର। ତାର ସ୍ମୃତି ସ୍ୱରୂପ ଆଜି ଏଠାରେ ୪ଟି ଚକାଆସନ ପୂଜାପାଉଛନ୍ତି। ଏବେ ଏଠାରେ ହର ଓ ହରି ଏକାଠି ପୂଜା ପାଉଛନ୍ତି। ଆଉ ଏକାଠି ଲାଗିହେଉଛି ବେଲପତ୍ର ତୁଳସୀ।

ମାଣିତ୍ରୀରେ ଗୁପ୍ତଲୀଳା

ଖୋର୍ଦ୍ଧା ସହରଠାରୁ ପ୍ରାୟ ୧୬ ମାଇଲ ଦକ୍ଷିଣ ପଶ୍ଚିମ ଦିଗରେ ମାଣିତ୍ରୀଗଡ଼ ଅବସ୍ଥିତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏହି ଗୁପ୍ତଲୀଳା ମଧ୍ୟରୁ ମାଣିତ୍ରୀରେ ମଧ୍ୟ ଲୀଳା ହୋଇଥିଲା। ସେହିପରି ଖୋର୍ଦ୍ଧାଗଡ଼ ପାଖରେ ବଡ଼କଟକକୁ ଲୀଳାକ୍ଷେତ୍ର ଭାବେ ବାଛି ନେଇଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ।

ପ୍ରଭୁଙ୍କୁ ମୃଦଙ୍ଗରେ ଭର୍ତ୍ତିକରି ଗଡ଼କୁଜଙ୍ଗ ନେଇଯାଇଥିଲେ ଭକ୍ତ ବିସର ମହାନ୍ତି

୧୫୬୮ରେ ବିଧର୍ମୀ କଳାପାହାଡ଼ ଶ୍ରୀମନ୍ଦିର ଉପରେ କରିଥିଲା ଲୋମହର୍ଷଣକାରୀ ଆକ୍ରମଣ। ଠାକୁରମାନଙ୍କୁ ଠାବକରି ହାତୀପିଠିରେ ଆଣି ଗଙ୍ଗ।କୂଳରେ ନିଆଁଲଗାଇ ପୋଡ଼ିବାକୁ ଚେଷ୍ଟା କରିଥିଲା। ଭକ୍ତ ବିସର ମହାନ୍ତି ପ୍ରଭୁଙ୍କୁ ମୃଦଙ୍ଗରେ ଭର୍ତ୍ତିକରି ଗଡ଼କୁଜଙ୍ଗ ନେଇଯାଇଥିଲେ। ସେଠାରେ ବିଗ୍ରହମାନଙ୍କୁ ଜଗିରହିଥିଲେ। ୧୫୭୫ ମସିହାରେ ଶ୍ରୀବିଗ୍ରହମାନେ  ମନ୍ଦିର ଫେରିଥିଲେ।

ଶ୍ରୀଜଗନ୍ନାଥ ସଂସ୍କୃତିର ଅନ୍ୟତମ ପବିତ୍ର କ୍ଷେତ୍ର କାଙ୍କଣକୁଦ

ଚିଲିକାର କାଙ୍କଣକୁଦ ବା’ କାଙ୍କଣଶିଖରୀ। ଶ୍ରୀଜଗନ୍ନାଥ ସଂସ୍କୃତିର ଅନ୍ୟତମ ପବିତ୍ର କ୍ଷେତ୍ର। ଶତ୍ରୁ ଆଶଙ୍କ।ରେ ଏହି କୁଦ ଭିତରେ ସୁରକ୍ଷିତ ମନେକରି ସେବାୟତମାନେ ଶ୍ରୀବିଗ୍ରହଙ୍କୁ ଅବସ୍ଥାନ କରାଇଥିଲେ। ମହାପ୍ରଭୁଙ୍କର ଏହି ଲୀଳାର ପ୍ରମାଣ ସ୍ୱରୂପ ଏଠାରେ ଆଜିବି ଦେଖିବାକୁ ମିଳେ ଯଜ୍ଞବେଦୀ, ମାଟିପାତ୍ର, ଚନ୍ଦନପେଡ଼ିର ଭଗ୍ନାବଶେଷ। ଚିଲିକାର ଏତେ ପାଖରେ ଥାଇବି ଯମୁନା ପୋଖରୀର ପାଣି ଏତେ ମଧୁର। ଇତିହାସ କୁହେ ଏହିଠାରୁ ହିଁ ପାଣି ନିଆଯାଇ ମହାପ୍ରଭୁଙ୍କ ରୋଷକାର୍ଯ୍ୟ କରାଯାଇଥିଲା। ଆଜି ଏଠାରେ ପ୍ରଭୁ ନାହାନ୍ତି। ହେଲେ ମହାପ୍ରଭୁଙ୍କ ଲୀଳାର ବାର୍ତ୍ତା ବହନକରେ କାଙ୍କଣଶିଖରୀ।

ମାରଦା ଜଗନ୍ନାଥ ମନ୍ଦିର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନ୍ୟତମ ଲୀଳାକ୍ଷେତ୍ର ଭାବେ ଗଂଜାମ ଜିଲ୍ଲା ଆଠଗଡ଼ ଅନ୍ତର୍ଗତ  ମାରଦା ଜଗନ୍ନାଥ ମନ୍ଦିର। ଯାହାକି ଶ୍ରୀଜଗନ୍ନାଥ ସଂସ୍କୃତିର ବାର୍ତ୍ତା ବହନ କରେ। ଏହାକୁ ଶରଣ ଶ୍ରୀକ୍ଷେତ୍ର ମଧ୍ୟ କୁହାଯାଏ।

ଚକଡ଼ିମ୍ୱଲ ପାହାଡ଼ରେ ଶ୍ରୀଶ୍ରୀ ଚକୋଠାକୁର

ଠାକୁରଙ୍କ ନବକଳେବର ପରେ ୧୭୩୧ମସିହାରେ ଯବନଆକ୍ରମଣର ପୁନଃ ଆଶଙ୍କ। କରି ବିଗ୍ରହମାନଙ୍କୁ ଚିକିଲି ଚକଡ଼ିମ୍ୱଲ ପାହାଡ଼ରେ ଶ୍ରୀଶ୍ରୀ ଚକୋଠାକୁର ମନ୍ଦିରକୁ ସ୍ଥାନାନ୍ତର କରାଯାଏ। ସେଠାରେ ବର୍ଷକ ପାଇଁ ମହାପ୍ରଭୁ ରହିଲା ପରେ ଶ୍ରୀମନ୍ଦିରକୁ ଫେରିଥିଲେ।

ଚିର ରହସ୍ୟମୟ ଠାକୁର ଶ୍ରୀଜଗନ୍ନାଥ। ଅପାର ତାଙ୍କର ଲୀଳାଖେଳା। ଅତୀତରେ ବିଧର୍ମୀଙ୍କ ଦ୍ୱାରା ଶ୍ରୀମନ୍ଦିର ଉପରେ ହୋଇଛି ବାରମ୍ୱାର ଆକ୍ରମଣ। ହେଲେ ଭକ୍ତମାନଙ୍କ ଗହଣରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଯୁଗେଯୁଗେ ଦେଖାଇ ଆସିଛନ୍ତି ତାଙ୍କର ଲୀଳା।

You might also like