ଦେବାଳିଆ ହେବ କି ଓଡ଼ିଶା? ଋଣ ଉପରେ ଋଣ କରି ଚାଲିଛନ୍ତି ନବୀନ ସରକାର
ଭୁବନେଶ୍ୱର: ଫିକା ପଡୁଛି ଅର୍ଥ ବ୍ୟବସ୍ଥାର ଗୋଲାପି ଚିତ୍ର। ନିର୍ବାଚନୀ ବର୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ଦିଷ୍ଟ ଯୋଜନା ପାଇଁ ଏବେ ସରକାରଙ୍କ ସମ୍ବଳ ଚିନ୍ତା। କେଉଁଠୁ ଆସିବ ଅର୍ଥ, କେମିତି ଚାଲିବ ସରକାରୀ ଯୋଜନା? ସରକାରଙ୍କ ପାଖରେ ବିକଳ୍ପ ହେଉଛି ଖୋଲା ବଜାରରୁ ଋଣ। ଆସନ୍ତା କାଲି ୫୦୦ କୋଟିର ଋଣ ଉଠାଇବେ ସରକାର। ରାଜ୍ୟରେ ଚାଲିଥିବା ଯୋଜନା ପାଇଁ ସରକାର ଋଣ ଆଣୁଛନ୍ତି । ଏ କଥା ବି ବିଜ୍ଞପ୍ତିରେ ଉଲ୍ଲେଖ କରିଛି ଅର୍ଥ ବିଭାଗ। ଚଳିତ ଆର୍ଥିକ ବର୍ଷରେ ଏହାକୁ ମିଶାଇ ୭ ଥର ଖୋଲା ବଜାରରୁ ଋଣ ଉଠାଇଲେଣି ସରକାର। ହିସାବ ଦେଖିଲେ ପ୍ରତିମାସରେ ଋଣ ହେଉଛି ହଜାରେ କୋଟି ଟଙ୍କା ।
ଏପଟେ ଖୋଲା ବଜାରରୁ ଋଣକୁ ନେଇ ଯଦିଓ ବର୍ତ୍ତମାନ କୌଣସି ଅସୁବିଧା ନାହିଁ, ତେବେ ଭବିଷ୍ୟତରେ ଏହା ଚିନ୍ତା ବଢ଼ାଇବ ବୋଲି ଆଶଙ୍କା କରୁଛନ୍ତି ବିଶେଷଜ୍ଞ, କାହିଁକି ନା ଏ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମୁଦାୟ ଋଣବୋଝ ୯୩ ହଜାର କୋଟି ଟଙ୍କା ଛୁଇଁବ ବୋଲି ଆକଳନ କରାଯାଉଛି ।
ଏଥର ବଜେଟରେ ହୋଇଥିବା ବ୍ୟବସ୍ଥା ଅନୁସାରେ ସରକାର ବିଭିନ୍ନ ସୁତ୍ରରୁ ୧୯ ହଜାର କୋଟି ଟଙ୍କା ଋଣ କରିପାରିବେ। ତେବେ ଯୋଜନା ଚାଲୁ ରଖିବା ପାଇଁ ସରକାରଙ୍କ ଏଭଳି ଋଣ ଆଣିବା କଥାକୁ ସହଜରେ ଗ୍ରହଣ କରୁନାହାଁନ୍ତି ବିରୋଧୀ। ଖୋଲା ବଜାରରୁ ଅଧିକ ଋଣ ରାଜ୍ୟର ଆର୍ଥିକ ସ୍ଥିତିକୁ ଦେବାଳିଆ କରିବ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ। କଂଗ୍ରେସ କହିଛି ନିର୍ବାଚନ ଆଉ ମାତ୍ର ଆଠ ମାସ ଅଛି। ସରକାର ଋଣ ଆଣିଲେ ତାଙ୍କୁ ପରିଶୋଧ କରିବାକୁ ପଡ଼ିବ ନାହିଁ। ବିକାଶ ନାଁରେ ଋଣ ଆଣି ନିର୍ବାଚନୀ ଖର୍ଚ୍ଚ ମେଣ୍ଟାଇବାକୁ ସରକାର ଯୋଜନା କରୁଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି। ବିଜେପି ରାଜ୍ୟ ଉପସଭାପତି କହିଛନ୍ତି, ରାଜ୍ୟ ସରକାର ଋଣ କରି ଘିଅ ପିଇବା ନୀତି ଆପଣେଇଛନ୍ତି। ତେବେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି, ରାଜ୍ୟର ବିକାଶକୁ ଆଖି ଆଗରେ ରଖି ଯେତିକି ଆବଶ୍ୟକ ସେତିକି ଋଣ ଉଠାଯାଉଛି। ଦେବାଳିଆ ହେବାର ସମ୍ଭାବନା ନାହିଁ ।
ଏବେ ରାଜ୍ୟରେ ଦୁଇ ଡଜନରୁ ଅଧିକ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପରି କିଛି ବଡ଼ ଯୋଜନା ପାଇଁ ବଜେଟରେ ବ୍ୟୟ ବରାଦ ହୋଇନାହିଁ । ଆଗକୁ ନିର୍ବାଚନ ଥିବାରୁ ଆହୁରି ନୂଆ ଯୋଜନା ବି ଆସିପାରେ। ତେବେ ଝିଣ୍ଟିକା ମାରି ବଣି ପୋଷିବା ଭଳି ଋଣ କରି ରାଜ୍ୟବାସୀଙ୍କ ଉପରେ ଋଣ ବୋଝ ବଢ଼ଇବା କେତେ ଯୁକ୍ତିଯୁକ୍ତ, ସେ ନେଇ ପ୍ରଶ୍ନ ଉଠିଛି ।