ରାଜ୍ୟ ସରକାରଙ୍କୁ ଆର୍ଥିକ ପରିଚାଳନା ଚିନ୍ତା

ଭୁବନେଶ୍ୱର: ଗୋଟିଏ ପଟେ ଋଣ ବୋଝ, ଅନ୍ୟପଟେ ନିର୍ବାଚନର ଆହ୍ୱାନ। ଖାସ୍‌ ସେଥିପାଇଁ ବାଟ ବାହାର କରିଛି ଅର୍ଥ ବିଭାଗ। ଆଉ ଫୋକସ୍‌ରେ ରହିଛି ସପ୍ଲିମେଣ୍ଟାରି ବଜେଟ୍। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଗାଇଡ୍ ଲାଇନ୍‌ ଜାରି କରିଛି ଅର୍ଥ ବିଭାଗ। ରାଜ୍ୟରେ ସପ୍ତମ ବେତନ କମିଶନ୍ ଲାଗୁ ହେବା ପରେ ରାଜ୍ୟ ସରକାର ଆର୍ଥିକ ଚାପରେ ଥିବା ଜଣାପଡ଼ିଛି।

ସେଦୃଷ୍ଟିରୁ ପ୍ରତି ବର୍ଷ ଭଳି ରୁଟିନ୍ ଖର୍ଚ୍ଚ ବରାଦ ନକରି ଆଡ୍‌ଜଷ୍ଟମେଣ୍ଟ୍‌ କରିବାକୁ କୁହାଯାଇଛି। ଯେଉଁ ବିଭାଗ ବରାଦ ଅର୍ଥ ଖର୍ଚ୍ଚ କରିନାହାନ୍ତି ସେମାନେ ନୂଆ ପ୍ରସ୍ତାବ ନଦେଇ ପ୍ରଥମେ ସେଇ ଅର୍ଥକୁ ଖର୍ଚ୍ଚ କରିବାକୁ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଛି। ବ୍ୟବହାର ହୋଇନଥିବା ଅନ୍ୟ ପ୍ରକଳ୍ପର ଅର୍ଥକୁ ଅତ୍ୟାବଶ୍ୟକ ପ୍ରକଳ୍ପରେ ଖର୍ଚ୍ଚ ଲାଗି ମଧ୍ୟ ଅନୁମତି ଦିଆଯାଇଛି। ଯେଉଁଠି ଆବଶ୍ୟକ ଓ ଖର୍ଚ୍ଚ କରିବାର ଦକ୍ଷତା ଅଛି କେବଳ ସେଭଳି ପ୍ରସ୍ତାବ ଦେବାକୁ ଅର୍ଥ ବିଭାଗ ତାଗିଦ୍ କରିଛି।

ଆଗୁଆ ନିର୍ବାଚନ ସମ୍ଭାବନାକୁ ଦେଖି ଏବେଠୁ ସପ୍ଲିମେଣ୍ଟାରୀ ବଜେଟ୍ ପାଇଁ ରାଜ୍ୟ ପ୍ରସ୍ତୁତ ହେଉଛି କି ?  ନିର୍ବାଚନ ଥିବାରୁ ସରକାର ଅନେକ ନୂଆ ସ୍କିମ୍ ଆଣିପାରନ୍ତି। ସେଥିପାଇଁ ଅର୍ଥ ଯୋଗାଡ଼ ଲାଗି ଏଇ କସରତ ନୁହେଁ ତ? ବଜେଟ୍‌ରେ ବ୍ୟବସ୍ଥା ନଥିବା ସତ୍ତ୍ୱେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି ସରକାର। ତେଣୁ ନିଜ ଯୋଜନା ଲାଗି ସରକାର ଅର୍ଥ ଯୋଗାଡ଼ ଏବେ ସରକାରଙ୍କ ପାଇଁ ଚ୍ୟାଲେଂଜ ହେବ ବୋଲି କୁହାଯାଉଛି।

ବିଭିନ୍ନ ବିଭାଗକୁ ଦିଆଯାଇଥିବା ଅର୍ଥ ଖର୍ଚ୍ଚ ହୋଇନପାରିବା କାରଣରୁ ପଡ଼ି ରହୁଛି। ନିଅଣ୍ଟିଆ ସ୍ଥିତି ସୃଷ୍ଟି ହେବା ପରେ ଏବେ ସରକାରଙ୍କ ମୁଣ୍ଡ ଘର ଧରିଛି। ତେବେ ଆର୍ଥିକ ଶୃଙ୍ଖଳା ରକ୍ଷା ଲାଗି ସରକାର ନେଇଥିବା ପଦକ୍ଷେପ ବୋଝକୁ କେତେ ଲାଘବ କରୁଛି ତାହା ଦେଖିବା କଥା।

You might also like