ଆପତ୍ତି ଶୁଣାଣି ଆଳରେ ପୌର ନିର୍ବାଚନ ଟାଳିବାକୁ ମସୁଧା

ଭୁବନେଶ୍ୱର: ଜୁନ ୧୩ରେ ପୌର ପ୍ରଶାସକ କହିଥିଲେ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତ ଭିତରେ ରଖିବା ନେଇ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯିବେ ସରକାର। କିନ୍ତୁ ପାଖାପାଖି ଦେଢ଼‍ମାସ ହୋଇଯାଇଥିଲେ ବି ଚୁପ୍ ବସିଛନ୍ତି ସରକାର। ନଗର ଉନ୍ନୟନ ବିଭାଗର ସୂଚନା ଅନୁସାରେ ମାମଲା ଦାୟର ପାଇଁ କେବଳ ଡ୍ରାଫ୍ଟ୍ ପ୍ରସ୍ତୁତ ହୋଇ ସରକାରଙ୍କ ଓକିଲଙ୍କୁ ଦିଆଯାଇଛି। ପଞ୍ଚାୟତିରାଜ ବିଭାଗ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ଏନେଇ ଆବେଦନ କରିବେ। ଏପଟେ ପୌର ନିର୍ବାଚନ ପାଇଁ ସରକାର କେତେ ତତ୍ପର ତାହା ପ୍ରମାଣିତ କରୁଛି ସରକାରଙ୍କ ଓ୍ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣର ଶୁଣାଣି ପ୍ରକିୟା।

ମେ ୧୯ରୁ ନିଜେ ନଗର ଉନ୍ନୟନ ମନ୍ତ୍ରୀ ଏଠାରେ ଶୁଣାଣି କରୁଛନ୍ତି। ଏପଟେ ଆଜି ଥିଲା ବରଗଡ଼ ଜିଲ୍ଲାର ଶୁଣାଣି। ତେବେ ମନ୍ତ୍ରୀ ଶୁଣାଣିକୁ ବାତିଲ କରି ଯାଇଛନ୍ତି ସୋନପୁର। ମନ୍ତ୍ରୀଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ଏବେ ସୁଦ୍ଧା ୧୯ ଟି ଜିଲ୍ଲାର ଶୁଣାଣି ସରିବା କଥା,  କିନ୍ତୁ ସରିଛି ମାତ୍ର ୯ଟି। ମୁନିସପାଲ ଆଇନର ବ୍ୟବସ୍ଥା ଅନୁସାରେ ଆବେଦନର ମାସେ ଭିତରେ ଶୁଣାଣି ସରିବା କଥା। କିନ୍ତୁ ମନ୍ତ୍ରୀ ନିଜେ ଆଇନକୁ ଆଖିଠାର ମାରି ମାସ ମାସ ଧରି ଶୁଣାଣି ଚଳାଇଛନ୍ତି। ତେବେ ଏନେଇ ମନ୍ତ୍ରୀ କିନ୍ତୁ ମୁହଁ ଖୋଲୁନାହାଁନ୍ତି। ଅନ୍ୟପକ୍ଷରେ ସେପ୍ଟେମ୍ବରରେ ସରୁଛି ୬୫ଟି ପୌରସଂସ୍ଥାର କାର୍ଯ୍ୟକାଳ। ପ୍ରଶ୍ନ ଉଠୁଛି ଯଦି ସେପେମ୍ବେର ଯାଏଁ ସରକାର ଓ୍ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ଶୁଣାଣି କରିବେ। ତେବେ ନିର୍ବାଚନ ହୋଇପାରିବ ତ? ଧାର୍ଯ୍ୟ ତାରିଖର ୪ ମାସ ପୂର୍ବରୁ ନିର୍ବାଚନ କମିଶନ ପ୍ରସ୍ତୁତି ସାରିଥାନ୍ତି। ଏଥର ମଧ୍ୟ କମିଶନ ସରକାରଙ୍କୁ ଓ୍ୱାର୍ଡ ପୁନର୍ଗଠନ ପ୍ରକିୟା ସାରିବାକୁ ଚିଠି ଦେଇଥିଲେ। ହେଲେ ସରକାର ସୁପ୍ରିମକୋର୍ଟ ଯିବା ବାହାନାରେ ନିର୍ବାଚନକୁ ଟାଳି ଦେବା ଯୋଜନାରେ ଅଛନ୍ତି। ସରାକାରଙ୍କ ଏହି ଆଭିମୁଖ୍ୟକୁ ବିରୋଧୀ ସମାଲୋଚନା କରିଛନ୍ତି।

ରାଜ୍ୟର ୯୦ଟି ପୌରପାଳିକାରୁ ସରକାରଙ୍କ ପାଖକୁ ଶୁଣାଣି ପାଇଁ ୬ହଜାର ୫୪୬ ଅଭିଯୋଗ ଆସିଛି। ତେବେ ଧାର୍ଯ୍ୟ ସମୟ ଭିତରେ ଏସବୁ ଅଭିଯୋଗର ଶୁଣାଣି ସାରି ନିଷ୍ପତ୍ତି ନେବା ସମ୍ଭବ ନୁହେଁ ବୋଲି ପୂର୍ବରୁ ରାଜ୍ୟ ସରକାର ନିର୍ବାଚନ କମିଶନଙ୍କୁ ଜଣାଇଥିଲେ।

You might also like