ତୁଟୁନି ଚାବି ବିବାଦ: ନକଲି ଚାବିରେ ଭଣ୍ଡାର ଖୋଲିବାକୁ ସେବାୟତଙ୍କ ଦାବି, ନିରଞ୍ଜନ କହିଲେ ଅଡିଟ୍ ହେଉ
ପୁରୀ: ରତ୍ନଭଣ୍ଡାରର ନକଲି ଚାବିକୁ ନେଇ ବିବାଦ ବଢୁଥିବା ବେଳେ ସେଇ ଚାବିରେ ଭଣ୍ଡାର ଖୋଲିବାକୁ ଦାବି ଜୋର ଧରିଛି। ମିଳିଥିବା ଚାବିରେ ରତ୍ନଭଣ୍ଡାର ଖୋଲାଯାଉ ବୋଲି ଦଇତାପତି ନିଯୋଗ ଓ ମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଆଜି ଦାବି କରିଛନ୍ତି। ଏଥିସହିତ ଅଳଙ୍କାର ସୁରକ୍ଷିତ ଅଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ସାର୍ବଜନୀନ ଭାବେ ଘୋଷଣା କରୁ ବୋଲି ସେମାନେ କହିଛନ୍ତି। ୧୯୭୮ରେ ପ୍ରସ୍ତୁତ ଅଳଙ୍କାର ତାଲିକା ସହ ବର୍ତ୍ତମାନର ଅଳଙ୍କାର ତାଲିକାକୁ ମେଳ କରିବା ପାଇଁ ସେତେବେଳର ଆଇନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ଦାବି କରିଛନ୍ତି।
ଡୁପ୍ଲିକେଟ ଚାବି ମିଳିବା ପରେ ରତ୍ନ ଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି କି ନାହିଁ ସେ ନେଇ ସବୁ ମହଲରେ ସନ୍ଦେହ ବଢ଼ିବାରେ ଲାଗିଛି। ମିଳିଥିବା ନକଲି ଚାବିରେ ରତ୍ନଭଣ୍ଡାର ଖୋଲିବ କି ନାହିଁ ତାକୁ ନେଇ ବି ସନ୍ଦେହ କରୁଛନ୍ତି ଦଇତାପତି ନିଯୋଗ ଓ ମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ। ରେକର୍ଡରୁମ୍ରେ ନକଲି ଚାବି କିଏ ରଖିଥିଲା ତାହା ପ୍ରଶାସନ ସ୍ପଷ୍ଟ କରୁ ବୋଲି ମନ୍ଦିର ପରିଚାଳନା କମିଟିର ସଦସ୍ୟ ମନୋରଞ୍ଜନ ସିହାଂରୀ ଆଜି ଦାବି କରିଛନ୍ତି । ତେଣୁ ତୁରନ୍ତ ରହସ୍ୟ ଉପରୁ ପରଦା ଉଠାଇବାକୁ ଦଇତାପତି ନିଯୋଗ ଦାବି କରିଛି। ପ୍ରଶାସନ ବାହାର ଭଣ୍ଡାରର ଚାବି ଦାୟିତ୍ୱରେ ଥିବା ମେକାପ ସେବାୟତ ମଧ୍ୟ ନକଲି ଚାବିକୁ ନେଇ ଆଶ୍ଚର୍ଯ୍ୟପ୍ରକାଶ କରିଛନ୍ତି।
୧୯୭୮ମସିହାରେ ପୂର୍ବତନ ଆଇନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସମୟରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ସେତେବେଳେ ପ୍ରସ୍ତୁତ ହୋଇଥିବା ଇନଭେଣ୍ଟୋରୀ ଅନୁସାରେ ବାହାର ରତ୍ନ ଭଣ୍ଡାରରେ ୩୧ ପ୍ରକାର ଅଳଙ୍କାର ରହିଛି। ସେହିପରି ଭିତର ଭଣ୍ଡାରରେ ରାଜା ମହାରାଜା ମାନେ ଅନ୍ୟ ରାଜ୍ୟରୁ ଜୟ କରି ଆଣିଥିବା ୩୪ ଟି ସ୍ୱର୍ଣ୍ଣ ମୁକୁଟ, ହୀରାନୀଳା ଲାଗିଥିବା ରାମାନନ୍ଦୀ ଚିତା, ମର୍କତକଣ୍ଠୀ, ମର୍କତ ଚୁନୀ, ୧୨୪ ପ୍ରକାର କଳିଙ୍ଗ ହୀରା ଥିବାର ତାଲିକା ରହିଛି।
ଏସବୁକୁ ବାଦଦେଲେ ଆହୁରି ୨୩୪ ପ୍ରକାର ମାଣିକ୍ୟ ଚୁନୀ, ୨୬ ପ୍ରକାର ବୈଦୁର୍ଯ୍ୟ, ରତ୍ନଖଚିତ ୧୨୩ ଭରିର ସୁନା ମାଳା, ୧୫ ଭରି ସୁନା ମଗର ମୁହଁ ଖଡୁ , ୩୭ ଭରିର ପଦ୍ନ ପାଖୁଡ଼ା, ଏମିତ ଅନେକ ସୁନା, ହୀରା, ମୋତି ମାଣିକ୍ୟର ତାଲିକା ରହିଛି। ଏବେ ନକଲି ଚାବିକୁ ନେଇ ସନ୍ଦେହ ବଢୁଥିବାରୁ ଏଥିରେ ରତ୍ନଭଣ୍ଡାର ଖୋଲିବ କି ନାହିଁ ତାହା ପରୀକ୍ଷା ହେବା ଦରକାର ବୋଲି କହିଛନ୍ତି ପୂର୍ବତନ ଆଇନ ମନ୍ତ୍ରୀ ବିଶ୍ୱଭୂଷଣ। ତୁରନ୍ତ ରତ୍ନ ଭଣ୍ଡାର ଖୋଲି ତାଙ୍କ ସମୟରେ ହୋଇଥିବା ତାଲିକା ସହ ଅଳଙ୍କାରର ମେଳ କରିବାକୁ ସେ ଦାବି କରିଛନ୍ତି। ମିଳିଥିବା ନକଲି ଚାବିକୁ ଜିଲ୍ଲାପାଳ ତଦନ୍ତ କମିଶନଙ୍କୁ ଦେବା ପାଇଁ କହିଥିବାରୁ ଏବେ ସମସ୍ତଙ୍କର ନଜର ତଦନ୍ତ କମିଶନ ପାଖରେ ଅଟକି ରହିଛି।
Mr. Naveen Patnaik, please understand that the recent series of events have left a deep sense of suspicion in the minds of us Odias. We are concerned about the safety of Lord Jagannath’s Ratna Bhandar. We request you to conduct an audit & reassure that our Lord’s wealth is safe. pic.twitter.com/3l0ePQ9ePy
— Niranjan Patnaik (@NPatnaikOdisha) June 16, 2018
ଅନ୍ୟପଟେ ରତ୍ନଭଣ୍ଡାରର ଅଡିଟ୍ କରିବାକୁ ଦାବି କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଆଜି ଟୁଇଟ୍ କରି ନିରଞ୍ଜନ ଏହି ମନ୍ତବ୍ୟ ରଖିଛନ୍ତି। ରତ୍ନଭଣ୍ଡାର ଚାବି ପ୍ରସଙ୍ଗକୁ ନେଇ ଗତ କିଛି ଦିନ ହେବ ଯେଉଁ ଘଟଣାମାନ ଘଟିଛି, ତାହା ଆମ ସବୁ ଓଡ଼ିଆଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ଆମେ ସମସ୍ତେ ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ସୁରକ୍ଷାକୁ ନେଇ ଚିନ୍ତିତ। ପ୍ରଭୁଙ୍କ ସମ୍ପତ୍ତି ଯେ ସୁରକ୍ଷିତ ତାହା ନିଶ୍ଚିତ କରିବା ଲାଗି ମୁଖ୍ୟମନ୍ତ୍ରୀ ତୁରନ୍ତ ଅଡିଟ୍ ଘୋଷଣା କରନ୍ତୁ ବୋଲି ନିରଞ୍ଜନ ଟୁଇଟ୍ରେ ଉଲ୍ଲେଖ କରିଛନ୍ତି।