ପିସିସି ପୁନର୍ଗଠନ ହେଉ ହେଉ ତେଜିଲା ବିବାଦ

ଭୁବନେଶ୍ୱର : ବିଧାନସଭା ନିର୍ବାଚନ ଆହୁରି ବର୍ଷେ ବାକି ଅଛି, ଦଳ କ୍ଷମତାକୁ ଆସିବ କି ନାହିଁ ତାହା ବି ଅସ୍ପଷ୍ଟ। ଏଣେ କିନ୍ତୁ କଂଗ୍ରେସରେ ଆରମ୍ଭ ହୋଇଗଲାଣି ମୁଖ୍ୟମନ୍ତ୍ରୀତ୍ୱକୁ ନେଇ ବିବାଦ। ୨୦୧୯ରେ ଦଳ କ୍ଷମତାକୁ ଆସିଲେ ଓବିସି ସଂପ୍ରଦାୟରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଓ ୨ଜଣ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଜଣେ ଆଦିବାସୀ ଓ ଜଣେ ଅନୁସୂଚିତ ଜାତି ବର୍ଗରୁ କରିବାକୁ ରାଜ୍ୟ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ଶ୍ରୀକାନ୍ତ ଜେନା,ଏଆଇସିସି ଓ ପିସିସି ସଦସ୍ୟଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏହି ଚିଠିକୁ ନେଇ ଉଠିଛି ବିବାଦ।  ଏହା କେବଳ ଦଳ ଭିତରେ ବିଭାଜନର ମଞ୍ଜି ପୋତିନି ବରଂ କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କଲା ଭଳି ହୋଇଛି।

ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ସିଧାସଳଖ ଶ୍ରୀକାନ୍ତଙ୍କ ଏ ପ୍ରସ୍ତାବକୁ ନାପସନ୍ଦ କରିଛନ୍ତି, କହିଛନ୍ତି ଭୁବନେଶ୍ୱରରେ ବସି ନୁହଁ ବରଂ ଗାଁ ଲୋକଙ୍କ ମତକୁ ନେଇ ତିଆରି ହେବ କଂଗ୍ରେସ ମେନିଫେଷ୍ଟୋ। ପିସିସି କୋର କମିଟି ଅଧ୍ୟକ୍ଷ ଜୟଦେବ ଜେନା କହିଛନ୍ତି ଆଗ ଦଳ କ୍ଷମତାକୁ ଆସୁ, କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନିଷ୍ପତ୍ତି ହାଇକମାଣ୍ଡଙ୍କର।

ନିରଞ୍ଜନ ପଟ୍ଟନାୟକ ରାଜ୍ୟ କଂଗ୍ରେସ ସଂଗଠନର ଭାର ସମ୍ଭାଳିବାର ମାତ୍ର ୧୦ ଦିନ ପୂରନି, ଇସ୍ତାହାର କମିଟି ବି ମୂଳରୁ ଗଠନ ହୋଇନି, ଏଣେ କିନ୍ତୁ ଶ୍ରୀକାନ୍ତଙ୍କ ଏଭଳି ପ୍ରସ୍ତାବ ସମ୍ପର୍କିତ ଚିଠିକୁ ନେଇ ଉଠିଛି ଅନେକ ପ୍ରଶ୍ନ। ସେପଟେ ଦଳର କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ କହିଛନ୍ତି, ଏବେଠୁ ଏଭଳି ଚିନ୍ତା ଅପରିପକ୍ୱ ସେପଟେ କିନ୍ତୁ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖୁଛି ବିଜେଡି। କହିଛି, କ୍ଷମତାକୁ ଆସିବାକୁ କଂଗ୍ରେସ ଜାତିଭିତ୍ତିକ କାର୍ଡ ଖେଳୁଛି।

ଏବେ ଦେଖିବାର କଥା ଶ୍ରୀକାନ୍ତଙ୍କ କଳିମଞ୍ଜି ଆଗକୁ କଂଗ୍ରେସର ନୂଆ ଟିମ୍ ପାଇଁ କଣ ଅଡୁଆ ସୃଷ୍ଟି କରୁଛି।

You might also like