• translate
Odishatv Bureau

ବଲିଉଡ଼ ନାୟିକା ଶ୍ରୀଦେବୀଙ୍କର ମୃତ୍ୟୁରେ ସମସ୍ତ ସିନେପ୍ରେମୀ ମର୍ମାହତ। ଦୁବାଇରୁ ତାଙ୍କର ମର ଶରୀର ଆସିବାକୁ ନେଇ ସମସ୍ତେ ଅନେଇ ବସିଛନ୍ତି। ମିଳିଥିବା ଖବର ଅନୁଯାୟୀ,ଆଜି ସଂଧ୍ୟାରେ ମୁମ୍ବାଇରେ ପହଞ୍ଚିବ ଅଭିନେତ୍ରୀ ଶ୍ରୀଦେବୀଙ୍କ ମରଶରୀର। ଦୁବାଇରେ ଶ୍ରୀଦେବୀଙ୍କ ମୃତଦେହ ବ୍ୟବଚ୍ଛେଦ ସରିଥିବା ବେଳେ ଆଇନଗତ ଓ ଅନ୍ୟାନ୍ୟ ପ୍ରକ୍ରିୟା ଯୋଗୁଁ ମରଶରୀର ଦୁବାଇରୁ ଆଣିବା ବିଳମ୍ବ ହେଉଛି।

ଲାବ୍ ରିପୋର୍ଟ ଏବଂ ଦୁବାଇ ପୋଲିସର ତଦନ୍ତ ରିପୋର୍ଟ ଦିଆଯାଇନଥିବାରୁ ମରଶରୀର ଆସିପାରିନାହିଁ। ଶ୍ରୀଦେବୀଙ୍କ ମରଶରୀର ଭାରତକୁ ଯଥାଶୀଘ୍ର ପଠାଇବାକୁ ସେଠାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସମସ୍ତ ପ୍ରୟାସ କରାଯାଉଛି। ଆଜି ତାଙ୍କ ମରଶରୀର ମୁମ୍ବାଇରେ ପହଞ୍ଚିବା ପରେ ସର୍ବସାଧାରଣରେ ଦର୍ଶନ ପାଇଁ ରଖାଯିବ।

ଜୁହୁର ‘ପୱନ ହଂସ’ ମୁକ୍ତିଧାମରେ ଶେଷକୃତ୍ୟ ହେବ। ଶନିବାର ଦିନ ରାତିରେ ନାୟିକା ଶ୍ରୀଦେବୀଙ୍କର ୫୪ ବର୍ଷ ବୟସରେ ଦୁବାଇରେ ପରଲୋକ ହୋଇଥିଲା। ତାଙ୍କର ଅକାଳ ବିୟୋଗରେ ସ୍ତବ୍ଧ ହୋଇଯାଇଛି ପୁରା ଫିଲ୍ମ ଇଣ୍ଡଷ୍ଟ୍ରୀ। ସ୍ୱାମୀ ବୋନି କପୁରଙ୍କ ସହ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଦୁବାଇ ଯାଇଥିବା ବେଳେ ତାଙ୍କର ହୃଦ୍‌ଘାତରେ ପରଲୋକ  ହୋଇଥିଲା।

Other Stories