କଳିଙ୍ଗ ଷ୍ଟୁଡିଓରେ ସ୍ପୋଟର୍ସ କମ୍ପ୍ଲେକ୍ସ ନିର୍ମାଣ ପ୍ରସ୍ତାବକୁ ନେଇ ବିବାଦ

ଭୁବନେଶ୍ୱର : ସ୍ପୋର୍ଟସ ବନାମ ସିନେମା। କ୍ଷତିରେ ଚାଲିଥିବା ସିନେ ଶିଳ୍ପକୁ ଦୁର୍ବଳ କରି ଖେଳ ଭିତ୍ତିଭୂମି ନିର୍ମାଣ ପ୍ରସ୍ତାବକୁ ଆରମ୍ଭ ହୋଇଛି ଏକ ନୂଆ ବିବାଦ। ଓଡିଆ ସିନେ ଦୁନିଆର ମୁକସାକ୍ଷୀ କଳିଙ୍ଗ ଷ୍ଟୁଡିଓ। ପ୍ରାୟତଃ ଅଚଳ ଅବସ୍ଥାରେ ପଡ଼ି ରହିଥିବା ଏହି ଷ୍ଟୁଡିଓ ଉପରେ ଏବେ ଆଖି ପକାଇଛି କ୍ରୀଡା ବିଭାଗ।

ଷ୍ଟୁଡିଓର ଖାଲି ଜାଗାରେ ସ୍ପୋର୍ଟସ୍ କଂପ୍ଳେକ୍ସ ନିର୍ମାଣ ପାଇଁ କ୍ରୀଡା ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ୍, ସାଧାରଣ ପ୍ରଶାସନ ବିଭାଗକୁ ଦେଇଛନ୍ତି ଚିଠି। ଯାହା ଛିଡ଼ା କରିଛି ବିବାଦର ପାଚେରୀ। ଚିଠିରେ ଉଲ୍ଲେଖ ରହିଛି, ଭୁବନେଶ୍ୱର ଓ ଆଖପାଖ ଏରିଆରେ ସ୍ପୋର୍ଟସ କଂପ୍ଳେକ୍ସ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଆଉ କଳିଙ୍ଗ ଷ୍ଟୁଡିଓରେ ଆବଶ୍ୟକତା ଠାରୁ ଅଧିକ ଜମି ରହିଛି। ତେଣୁ ସେଇ ଖାଲି ଜାଗାକୁ କ୍ରୀଡା ବିଭାଗକୁ ଦେଲେ ସେଠାରେ ସ୍ପୋର୍ଟସ କଂପ୍ଳେକ୍ସ ନିର୍ମାଣ କରାଯିବ। ହେଲେ କ୍ରୀଡା ବିଭାଗର ଏହି ପ୍ରସ୍ତାବକୁ ଦେଖି ଖପ୍ପା ଓଡିଶା ଫିଲ୍ମ ଡେଭଲମେଣ୍ଟ କର୍ପୋରେସନ୍।

ପ୍ରତିବର୍ଷ ଚଳଚ୍ଚିତ୍ର ନିର୍ମାଣ ସଂଖ୍ୟା ବଢୁଛି, ହେଲେ କ୍ଷତିରେ ଚାଲିଛି ଓଡିଆ ସିନେ ଶିଳ୍ପ। ଏହା ଭିତରେ ମରି ହଜି ଯାଉଥିବା ଷ୍ଟୁଡିଓକୁ ପୁର୍ନଜନ୍ମ ଦେବାକୁ ଓଡିଶା ଫିଲ୍ମ ଡେଭଲପେଣ୍ଟ କର୍ପୋରେସନ୍ ଅଣ୍ଟା ଭିଡିଥିବା ବେଳେ କ୍ରୀଡ଼ା ବିଭାଗ କରିଛି ଜମି ଅକ୍ତିଆରର ମସୁଧା।

ପ୍ରଶ୍ନ ଉଛୁଠି, ସହର ଚାରିପାଖରେ ଏତେ ଜାଗା ଥାଇ, କଳିଙ୍ଗ ଷ୍ଟୁଡିଓକୁ କାହିଁକି ବାଛିଲେ କ୍ରୀଡା ସଚିବ? ଏହା ପଛରେ ଅନ୍ୟ କିଛି କାରଣ ରହିଛି କି?  ସ୍ପୋର୍ଟସ୍ ହବ୍‌ର ସ୍ୱପ୍ନ ଦେଖୁଥିବା ରାଜ୍ୟ ସରକାର, ସିନେ ଶିଳ୍ପକୁ ସାବତ ପୁଅ ଭାବେ ଦେଖୁନାହାଁନ୍ତି କି ? କଳିଙ୍ଗ ଷ୍ଟୁଡିଓର ବିକାଶ ହେଇନଥିବାରୁ ରାଜ୍ୟ ସରକାର ସମାଲୋଚନା ସାମ୍ନା କରୁଥିବା ବେଳେ ଏବେ ପୁଣି ସେଥିରୁ ଜାଗା ନେବାକୁ ମସୁଧା ବିବାଦକୁ ବଢ଼ାଇବ ନିଶ୍ଚୟ।

You might also like