ଗାୟିକା ସୋନା ମହାପାତ୍ରଙ୍କୁ ଜୋରଦାର ବିରୋଧ

ଭୁବନେଶ୍ୱର : ଲୋକପ୍ରିୟ ଜଗନ୍ନାଥ ଜଣାଣ ଆହେ ନୀଳ ଶଇଳକୁ ଭୁଲ ଢଙ୍ଗରେ ଗାଇ ଓଡ଼ିଆଙ୍କ ରୋଷର ଶିକାର ହୋଇଛନ୍ତି ଗାୟିକା ସୋନା ମହାପାତ୍ର। ପୁରୀରେ ସୋନାଙ୍କୁ ବିରୋଧ କରି ତାଙ୍କ ପୋଷ୍ଟର ପୋଡ଼ିଛି ସଚେତନ ନାଗରିକ ମଞ୍ଚ। ଭକ୍ତ ସାଲବେଗଙ୍କ ରଚିତ ଏବଂ କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ଏ ଜଣାଣକୁ କଦର୍ଥ କରି ଗାଇଥିବାରୁ ସୋନା କ୍ଷମା ମାଗନ୍ତୁ ବୋଲି ଦାବି କରିଛି ମଞ୍ଚ। ଏ ଗୀତକୁ ତୁରନ୍ତ ୟୁଟୁବରୁ ହଟାଇବାକୁ ବି ସଂସ୍କୃତି ମନ୍ତ୍ରୀଙ୍କୁ ମଞ୍ଚ ନିବେଦନ କରିଛି।

ସୋନାଙ୍କ ଗୀତକୁ ନେଇ ବିଭିନ୍ନ ସଂଗଠନ, ବ୍ୟକ୍ତି ବିଶେଷ ଖୋଲାଖୋଲି ବିରୋଧ ଓ ବିଷୋଦଗାର କରିଥିବା ବେଳେ ସୋନାଙ୍କୁ କିନ୍ତୁ ଏହା ଆଦୌ ବିଚଳିତ କରିନି। ସୋସିଆଲ ମିଡିଆରେ ଜବାବ ରଖି ସମାଲୋଚକଙ୍କୁ ତାଚ୍ଛଲ୍ୟ କରିଛନ୍ତି ସୋନା। ଲେଖିଛନ୍ତି ୨୦୧୭ରେ ମୁମ୍ବାଇରେ ହୋଇଥିବା ଏ ଲାଇଭ୍ କାର୍ଯ୍ୟକ୍ରମକୁ ନେଇ ଏବେ କାହିଁକି ଆପତ୍ତି ଉଠାଯାଉଛି। ଲାଇଭ କନସର୍ଟରେ ତାଙ୍କ ବେଶଭୁଷାରେ ସେ ଓଡ଼ିଶାର ସଂସ୍କୃତିକୁ ପ୍ରାଧାନ୍ୟ ଦେଉଥିବା ଯୁକ୍ତି ବାଢିଛନ୍ତି।

ଏଣେ ‘ନୀଳ ଶଇଳ’ ବିବାଦ ଭିତରେ ଧସେଇ ପସିଛି ରାଜନୀତି। ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ସୋନା ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର କରୁଥିବା ବେଳେ ତାଙ୍କର ଏ ତ୍ରୁଟିକୁ ପ୍ରସଙ୍ଗ କରାନଯାଉ। ଏହି ବାହାନାରେ ସେ ଓଡ଼ିଆକୁ କଦର୍ଥ କରୁଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି।

ପୂର୍ବରୁ ଲୋକପ୍ରିୟ ସମ୍ବଲପୁରୀ ଗୀତ ରଙ୍ଗବତୀ ଓ ପ୍ରଖ୍ୟାତ ସୁଫି ଗୀତ ତୋରୀ ସୁରତ୍‌କୁ ନେଇ ମଧ୍ୟ ସୋନା ବିବାଦ ଘେରକୁ ଆସିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ବହୁ ପ୍ରତିଷ୍ଠିତ ଅଣଓଡ଼ିଆ କଣ୍ଠଶିଳ୍ପୀ ଓଡ଼ିଆ ଭଜନକୁ ନିର୍ଭୁଲ ଭାବେ ଗାଇ ପାରୁଥିବା ବେଳେ ସୋନାଙ୍କ କ୍ଷେତ୍ରରେ ଏ ବ୍ୟତିକ୍ରମ କାହିଁକି?  ଓଡ଼ିଆ ହୋଇ ବି ଏଭଳି ଢଙ୍ଗରେ ଗାଇବା ପଛରେ ଶସ୍ତା ଲୋକପ୍ରିୟତା ସାଉଁଟିବା ପ୍ରୟାସ ନୁହେଁ ତ?

You might also like