ରାଜ୍ୟରେ ସାପ କାମୁଡ଼ାରେ ମୃତ୍ୟୁହାରକୁ ନେଇ ଉଦ୍‌ବେଗ

ଭୁବନେଶ୍ୱର : ବାରିପଦା ଗାଡିଆଡିହି ଗାଁର ନୀଳମଣିା ୨୦୧୫ ମସିହାରେ ପର ଘରେ ମୂଲ ଲାଗି ନିଜ ଘରକୁ ଫେରୁଥିଲେ ତାଙ୍କ ସ୍ୱାମୀ ନିରଂଜନ ମାର୍ଣ୍ଣିଂ। କିନ୍ତୁ ରାସ୍ତାରେ ନାଗ ସାପ ଦଂଶନରେ ଚାଲିଗଲା ତାଙ୍କ ସ୍ୱାମୀଙ୍କ ଜୀବନ। ସ୍ୱାମୀଙ୍କ ବିୟୋଗ ପରଠୁ ଘରେ ଏବେ ଆର୍ଥିକ ଅନଟନ।

ସେହିପରି ଆଉଜଣେ ହେଲେ କେନ୍ଦୁଝର ଜିଲ୍ଲା ଖୁଣ୍ଟାପଡ଼ା ଗାଁର ପଦ୍ମଚରଣ ସାହୁ। ନାଗ ସାପ କାମୁଡ଼ାରେ ସେ ମଧ୍ୟ ପତ୍ନୀ ଉର୍ବଶୀଙ୍କୁ ହରାଇ ନିସଙ୍ଗ ଜୀବନ ବିତାଉଛନ୍ତି। କେବଳ ନୀଳମଣି କିମ୍ବା ପଦ୍ମଚରଣ ନୁହଁନ୍ତି, ସାପ କାମୁଡ଼ା ଜନିତ ମୃତ୍ୟୁରେ ଉଜୁଡ଼ିଯାଇଛି ଅନେକଙ୍କ ହସଖୁସିର ସଂସାର।

ରାଜ୍ୟ ସରକାରଙ୍କ ରିପୋର୍ଟ କହୁଛି ୨୦୧୫ରୁ ୨୦୧୮ ମାର୍ଚ୍ଚ ଶେଷ ସୁଦ୍ଧା ବିଭିନ୍ନ ଦୈବୀ ଦୁର୍ବିପାକରେ ୪ହଜାର ୬ଶହ ୮୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏହି ସମୟ ମଧ୍ୟରେ ସାପ କାମୁଡ଼ାରେ ମୃତ୍ୟୁବରଣ କରିଛନ୍ତି ୧୭୧୬। ଯାହା ସମୁଦାୟ ମୃତ୍ୟୁରୁ ୩୭ ପ୍ରତିଶତ। ତାମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ ଏବଂ ଗଂଜାମ ଜିଲ୍ଲାରେ ମୃତ୍ୟୁହାର ସର୍ବାଧିକ ରହିଛି।

ବିଶେଷ କରି ମେରୁ ଅକ୍ଟୋବର ମଧ୍ୟରେ ହିଁ ସାପକାମୁଡ଼ା ଜନିତ ଅପମୃତ୍ୟୁ ସଂଖ୍ୟା ଅଧିକ ବୋଲି ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତେବେ ସାପ କାମୁଡ଼ାଜନିତ ଅପମୃତ୍ୟୁକୁ ରାଜ୍ୟ ସରକାର ଷ୍ଟେଟ୍ ସ୍ପେସିଫିକ୍ ଡିଜାଷ୍ଟର ଭାବେ ଗ୍ରହଣ କରିଥିବାବେଳେ କାହିଁକି ରୋକାଯାଇପାରୁନି କ୍ରମାଗତ ବୃଦ୍ଧି ପାଉଥିବା ଏହି ମୃତ୍ୟୁହାରକୁ ? କେଉଁଠି ରହୁଛି ଭୁଲ୍ ? ସାପ କାମୁଡ଼ା ଜନିତ ଡାକ୍ତରୀ ଚିକିତ୍ସା ସମ୍ପର୍କରେ ଲୋକଙ୍କୁ ସଠିକ୍ ଭାବେ ସଚେତନ କରାଯାଉନି କାହିଁକି ? ଗ୍ରାମାଞ୍ଚଳ ମେଡ଼ିକାଲ ଗୁଡ଼ିକରେ ସାପକାମୁଡ଼ା ଜନିତ ଇଂଜେକ୍ସନ ଉପଲବ୍ଧ ଅଛି ତ ?

You might also like