ବିଜେପିକୁ ହଟାଇବାକୁ ବିଜେଡିକୁ ସହଯୋଗ କରିବାକୁ ଆହ୍ୱାନ ଦେଲା ସିପିଏମ୍‌

ଭୁବନେଶ୍ୱର: ‘କଂଗ୍ରେସ ସହ ନିର୍ବାଚନୀ ମେଣ୍ଟ ହେବନି। ତେବେ ବିଜେପିକୁ କ୍ଷମତାଚ୍ୟୁତ କରିବାକୁ ପ୍ରୟାସ କରିବୁ।’ ଓଟିଭିକୁ ଏକ ସାକ୍ଷାତକାରରେ ଏହା କହିଛନ୍ତି ସିପିଏମ୍ ମହାସଚିବ ସୀତାରାମ୍ ୟେଚୁରୀ। ସେ କହିଛନ୍ତି- ‘ଏଥିଲାଗି ବିଜେଡି ଭଳି ଆଞ୍ଚଳିକ ଦଳ ସହଯୋଗ କରିବା ଦରକାର।’

ୟେଚୁରୀଙ୍କ ଏପରି ବୟାନ ପରେ ରାଜ୍ୟ ରାଜନୀତି ଜୋର୍ ଧରିଛି।

୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବାକୁ ସିପିଏମ୍‌ ଅଣ୍ଟା ଭିଡିଛି। ଏଥିପାଇଁ ବିରୋଧୀ ଏକଜୁଟ୍ ହେବା ପାଇଁ ଆହ୍ୱାନ ଦେଇଛନ୍ତି ୟେଚୁରୀ। ବିଜେଡି ଏଥିରେ ଆମକୁ ସହଯୋଗ କରିବା ଦରକାର ବୋଲି ସେ କହିଛନ୍ତି। ତେବେ କଂଗ୍ରେସ ସହ କୌଣସି ରାଜନୈତିକ ମଞ୍ଚରେ ସିପିଏମ୍ ଏକାଠି ହେବନି ବୋଲି ସେ ସ୍ପଷ୍ଟ କରିଛନ୍ତି। ଆଗାମୀ ନିର୍ବାଚନରେ ବିରୋଧୀଙ୍କ ଭୋଟ ଯେପରି ବିଭାଜିତ ନହୁଏ ତା’ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।

ମିଳିତ ସାମ୍ମୁଖ୍ୟ ଗଠନ ସଂପର୍କରେ ୟେଚୁରୀ କହିଛନ୍ତି, ନିର୍ବାଚନ ପୂର୍ବରୁ ନୁହେଁ, ଦେଶରେ ନିର୍ବାଚନ ପରେ ହିଁ  ସବୁବେଳ ମେଣ୍ଟ ଗଠନ ହୋଇଥିବାର ନଜିର ରହିଛି।

ସେପଟେ ୟେଚୁରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି। ଦଳ ବିଜେପି ଓ କଂଗ୍ରେସଠାରୁ ସମଦୂରତା ନୀତିରେ କାଏମ୍ ଥିବା କହିଛନ୍ତି ବିଜେଡି ମୁଖପାତ୍ର ରବିନାରାୟଣ ନନ୍ଦ। ତେବେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ଦଳ ସଭାପତି ନେବେ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସେହିପରି ବିଜେପି ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ କହିଛନ୍ତି “ବାମପନ୍ଥୀଙ୍କ ଗୋଟିଏ ପରେ ଗୋଟିଏ ଗଡ଼ ଭୁଶୁଡୁ ଥିବାରୁ ହତାଶ ହୋଇ ୟେଚୁରୀ ଏମିତି କହୁଛନ୍ତି ଓ ଆଗାମୀ ନିର୍ବାଚନରେ ଶେଷ ଗଡ଼ କେରଳରେ ବି କ୍ଷମତା ପରିବର୍ତ୍ତନ ହେବ।”

ଓଡ଼ିଶାରେ ସିପିଏମ୍, ବିଜେଡି ସହ ୨୦୦୯ ନିର୍ବାଚନରେ ଆସନ ବୁଝାମଣା କରିଥିଲା।  ଆଗାମୀ ନିର୍ବାଚନ ଦଳ ଅନୁରୂପ ପଦକ୍ଷେପ ନେବ କି ବୋଲି ପ୍ରଶ୍ନର ଉତ୍ତରରେ ୟେଚୁରୀ “ଏହା ରାଜ୍ୟ କମିଟିର ନିଷ୍ପତ୍ତି କହି କଥା ଟାଳି ଦେଇଥିଲେ।”

You might also like