ଲୋକସଭା ନିର୍ବାଚନ ସହ ୧୧ରାଜ୍ୟରେ ଏକକାଳୀନ ବିଧାନସଭା ନିର୍ବାଚନ ପାଇଁ ଯୋଜନା

ନୂଆଦିଲ୍ଲୀ: ୨୦୧୯ରେ ଲୋକସଭା ନିର୍ବାଚନ ସହିତ ୧୧ଟି ରାଜ୍ୟରେ ଏକକାଳୀନ ବିଧାନସଭା ନିର୍ବାଚନ କରାଇବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ଜଣାପଡ଼ିଛି।

ଚଳିତ ବର୍ଷ ଶେଷ ଆଡ଼କୁ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବାର ଅଛି। ତାକୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇପାରେ। ସେହିପରି ୨୦୧୯ ଶେଷ ଆଡ଼କୁ ଥିବା କିଛି ବିଧାନସଭା ନିର୍ବାଚନକୁ ଆଗୁଆ କରାଯିବା ନେଇ ବିଚାରବିମର୍ଶ ଆରମ୍ଭ ହୋଇଛି।

ଏକକାଳୀନ ନିର୍ବାଚନ ପାଇଁ ବିଜେପି ନିଜର ପ୍ରସ୍ତୁତି ଚଳାଇଥିବା ନେଇ ଚର୍ଚ୍ଚା। ଏହାକୁ ନେଇ ଏନ୍‌ଡିଏ ଓ ସହଯୋଗୀ ଦଳଗୁଡ଼ିକ ମଧ୍ୟରେ ଆଲୋଚନା ଚାଲିଥିବା ଜଣାପଡ଼ିଛି।

ଏହାବ୍ୟତୀତ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଭଳି ରାଜ୍ୟରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ପଡ଼ୁଛି। ତେଣୁ ଏଠାରେ କୌଣସି ସମୟ ପରିବର୍ତ୍ତନର ଆବଶ୍ୟକତା ପଡ଼ୁନଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଆସନ୍ତାବର୍ଷ ଜାନୁଆରୀ ମାସରେ ବିଜେପି ଶାସିତ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ କଂଗ୍ରେସ ଶାସିତ ମିଜୋରାମ ବିଧାନସଭା କାର୍ଯ୍ୟକାଳ ଆସନ୍ତା ଡିସେମ୍ବରରେ ଶେଷ ହେବ। ତେବେ ଏହି ସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ଚଳିତ ବର୍ଷ ଶେଷ ଆଡ଼କୁ ହେବା କଥା, କିନ୍ତୁ ଏହାକୁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ବିଜେପିର ଏଭଳି ରଣନୀତିକୁ ବିରୋଧୀ କଂଗ୍ରେସ ସମେତ ଅନ୍ୟ ଦଳ ଗୁଡ଼ିକ ବିରୋଧ କରୁଛନ୍ତି।

୧୯୬୭ ମସିହା ପର୍ଯ୍ୟନ୍ତ ଦେଶରେ ଏକକ ନିର୍ବାଚନ ପରମ୍ପରା ଥିଲା। ୧୯୮୩ରେ ଭାରତର ନିର୍ବାଚନ କମିଶନଙ୍କ ବାର୍ଷିକ ରିପୋର୍ଟରେ ପୁଣି ଏକଥା ଉତ୍‌ଥାପନ ହୋଇଥିଲା। ୧୯୯୯ରେ ଲ’ କମିଶନ ଏକକ ନିର୍ବାଚନ ପ୍ରସ୍ତାବକୁ ଆଗକୁ ନେବାପରେ ୨୦୧୫ରେ ସଂସଦୀୟ ଷ୍ଟାଣ୍ଡିଙ୍ଗ୍‌ କମିଟି ଏହାକୁ ନେଇ ଆଗକୁ ବଢ଼ିଥିଲା। ଏବେ ଦେଶରେ ୭ଟି ଜାତୀୟ ଦଳ ଓ ୪୯ଟି ସ୍ୱୀକୃତି ପ୍ରାପ୍ତ ରାଜ୍ୟ ଦଳ ରହିଛି। ଅଧିକାଂଶ ଦଳର ଗ୍ରୀନ ସିଗନାଲ୍ ମିଳିବା ପରେ ହିଁ ଏକକ ନିର୍ବାଚନର କଳ୍ପନା ପୁଣି ବାସ୍ତବ ରୂପ ନେଇପାରେ।

You might also like