ଶ୍ରୀମନ୍ଦିର ସଂସ୍କାର ପରିଚାଳନା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ
ଭୁବନେଶ୍ୱର : ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶକୁ ନେଇ ସେବାୟତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକଙ୍କ ତୀବ୍ର ପ୍ରତିକ୍ରିୟା। ବିଶେଷ କରି ମନ୍ଦିର ଭିତରକୁ ଅଣ ହିନ୍ଦୁ ପ୍ରବେଶକୁ ନେଇ ସର୍ବୋଚ୍ଚ ଅଦାଲତ ଦେଇଥିବା ପରାମର୍ଶକୁ ସହଜରେ ଗ୍ରହଣ କରିପାରନାହାନ୍ତି ସେବାୟତ ଓ ଗବେଷକ।
ଗତକାଲି ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ମନ୍ଦିରରେ ଅଣ ହିନ୍ଦୁଙ୍କ ପ୍ରବେଶ ପ୍ରସଙ୍ଗ ଉଠାଇଥିଲେ। ଧର୍ମ ନିର୍ବିଶେଷରେ ଯେ କୌଣସି ବ୍ୟକ୍ତି ଯେଭଳି ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବ୍ୟବସ୍ଥା କରିପାରିବେ କି ବୋଲି ପଚାରିଥିଲେ ସୁପ୍ରିମକୋର୍ଟ ।
ସୁପ୍ରିମକୋର୍ଟଙ୍କ ବିଗତ ଦିନର ରାୟ, ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ପି.ବି. ଗଜେନ୍ଦ୍ରଗଡକରଙ୍କ ପୁସ୍ତକ ତଥା ଭଗବତ ଗୀତାକୁ ଉଦ୍ଧାର କରି ହିନ୍ଦୁ ଧର୍ମର ବାଖ୍ୟା କରିଥିଲେ ବିଚାରପତି ଜଷ୍ଟିସ ଆଦର୍ଶ କୁମାର ଗୋୟଲ ଏବଂ ଜଷ୍ଟିସ ଏସ୍. ଅବଦୁଲ ନାଜିରଙ୍କ ଖଣ୍ଡପୀଠ । ଏହି ଅବସରରେ ଗୀତାର ଶ୍ଲୋକକୁ ମଧ୍ୟ ଉଲ୍ଲେଖ କରିଥିଲେ କୋର୍ଟ ।