ଆଖି ବୁଜିଲେ ସାଲେପୁର ପୀଡ଼ିତା
କଟକ : ଶେଷରେ କଟକ ବଡ଼ ମେଡିକାଲ୍ରେ ଆଖି ବୁଜିଲେ ସାଲେପୁର ପୀଡ଼ିତା। ୮ ଦିନ ଧରି ମୃତ୍ୟୁ ସହିତ ସଂଗ୍ରାମ କରିବା ପରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ବଡ଼ ମେଡିକାଲର ଶିଶୁ ବିଭାଗ ଟ୍ରମା ICUରେ ସେ ଚିକିତ୍ସାଧୀନ ଥିଲେ। SCB ଅଧୀକ୍ଷକ ଶ୍ୟାମା କାନୁନଗୋ ଏହି ସୂଚନା ଦେଇଛନ୍ତି। ପୀଡ଼ିତାଙ୍କ ଭଉଣୀ ଏବଂ ତାଙ୍କ ବାପା ଅଭିଯୁକ୍ତକୁ ଫାଶି ଦଣ୍ଡ ଦିଅାଯାଉ ବୋଲି ଦାବି କରିଛନ୍ତି।
ସାଲେପୁରର ଏହି ୬ ବର୍ଷର ନାବାଳିକାଙ୍କ ସହିତ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଗତ ୨୧ ତାରିଖ ରାତିରେ ସାଲେପୁର ଥାନା ଅଞ୍ଚଳରେ ଏକ ସ୍କୁଲ ବାରଣ୍ଡାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
ଅଭିଯୋଗ ଅନୁସାରେ ଘଟଣା ଦିନ ସନ୍ଧ୍ୟାରେ ନାବାଳିକା ଜଣଙ୍କ ଚକଲେଟ୍ ଆଣିବା ପାଇଁ ଘରୁ ବାହାରକୁ ଯାଇଥିଲେ। ତେବେ ଦୀର୍ଘ ସମୟ ଧରି ସେ ଘରକୁ ନଫେରିବା ପରେ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଏହାପରେ ନିକଟରେ ଥିବା ସ୍କୁଲ ବାରଣ୍ଡାରେ ସେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ତାଙ୍କ ପାଟିରୁ ରକ୍ତ ବାହାରୁଥିଲା। ଶିଶୁଟିକୁ ସଙ୍ଗେ ସଙ୍ଗେ ସାଲେପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ଏକ ୧୩ ଜଣିଆ ଡାକ୍ତରୀ ଟିମ୍ ଚିକିତ୍ସା କରୁଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଆସୁ ନଥିଲା।
ତାଙ୍କୁ କେହି ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରିଥିବା ନେଇ ପରିବାର ଲୋକେ ସାଲେପୁର ଥାନାରେ ଅଭିଯୋଗ କରିଥିଲେ। ଦୁଷ୍କର୍ମ ଅଭିଯୁକ୍ତକୁ ପୋଲିସ ଗିରଫ କରି ସାରିଛି।