ପିଲା ଚୋରି ଗୁଜବ ; ଚେତାବନୀ ଦେଇ ଆଡଭାଇଜରି ଜାରି କଲେ ଡିଜିପି

ଭୁବନେଶ୍ୱର :  ଦିନକୁ ଦିନ ଆତଙ୍କ ସୃଷ୍ଟି କଲାଣି ପିଲା ଚୋରି ଗୁଜବ। ତିନି ଦିନ ଭିତରେ ରାଜ୍ୟରେ ସାମ୍ନାକୁ ଆସିଲାଣି ୫୦ରୁ ଅଧିକ ଘଟଣା। ଅଜଣା ଓ ଅଚିହ୍ନା ଲୋକଙ୍କୁ ଦେଖିବା ମାତ୍ରେ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରୁଛନ୍ତି ଲୋକେ। ଡିଆଁ ରୋଗ ପରି ମାଡି ଚାଲିଛି ପିଲା ଚୋର ଗୁଜବ। ମୋବାଇଲରୁ ମୋବାଇଲ୍ ଘୂରି ବୁଲୁଛି ଉତ୍ତେଜନା ସୃଷ୍ଟିକାରୀ ଅଡିଓ ଓ ଭିଡିଓ।

ଏହାକୁ ରୋକିବାକୁ ଶେଷରେ ୭ ପଏଣ୍ଟ ବିଶିଷ୍ଟ ଆଡଭାଇଜରି ଜାରି କରିଛନ୍ତି ଡିଜିପି। ପିଲାଚୋରି ରାକେଟ୍ ଖବର ଭିତ୍ତିହୀନ ଓ ଗୁଜବ ବୋଲି ଏଥିରେ କୁହାଯାଇଛି। ତାସହ ଏଭଳି ଗୁଜବ ଫେସ୍‌ବୁକ୍, ହ୍ୱାଟ୍ସ ଆପ୍‌ରେ ଛାଡ଼ିବା ମଧ୍ୟ ଦଣ୍ଡନୀୟ ଅପରାଧ ବୋଲି ସତର୍କ କରାଯାଇଛି। ଓଡ଼ିଆ ଭାଷା ଜାଣି ନଥିବା ସନ୍ଦିଗ୍ଧ ଲୋକଙ୍କୁ ଦେଖିଲେ ନିକଟସ୍ଥ ଥାନାରେ ଜଣାନ୍ତୁ। କୌଣସି ନିର୍ଦ୍ଦୋଷ ଲୋକକୁ ହଇରାଣ ଓ ଆକ୍ରମଣ କଲେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। କୈାଣସି ପ୍ରକାର କାର୍ଯ୍ୟାନୁଷ୍ଠାନ କେବଳ ଥାନା ଓ ଅଦାଲତ ପରିସର ଭୁକ୍ତ, ତେଣୁ ଆଇନକୁ ହାତକୁ ନ ନେବାକୁ ପରାମର୍ଶ ଦିଆଯାଇଛି।

ଗତକାଲି ବାଲେଶ୍ୱର ଜିଲ୍ଲା ସୋରରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ। ଭିକ୍ଷାବୃତ୍ତି କରୁଥିବା ଜଣେ ମାନସିକ ବିକୃତ ମହିଳାଙ୍କୁ ବିଚ୍ ରାସ୍ତାରେ ପିଲା ଚୋର କହି ମାଡ଼ ମାରିଥିଲେ ଲୋକେ। ସେମିତି ଖଇରା ବ୍ଲକ ଜହ୍ନିଆ ପଦାରେ ଜଣେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ଦୀର୍ଘ ସମୟ ଅଟକ ରଖି ନିର୍ଯାତନା ଦେଇଥିଲେ ଗାଁ ଲୋକେ। ଆସ୍କା ଓ କବିସୂର୍ଯ୍ୟ ନଗରରେ ବି ଦେଖିବାକୁ ମିଳିଛି ଅନୁରୂପ ଦୃଶ୍ୟ। ପୂର୍ବରୁ ନୟାଗଡ଼, ରାୟଗଡ଼ା ଓ ବ୍ରହ୍ମପୁରରେ ମଧ୍ୟ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଘଟଣା। ଏସବୁ ଘଟଣାରେ ପୋଲିସ ଆରମ୍ଭ କରିଛି କାର୍ଯ୍ୟାନୁଷ୍ଠାନ। ସୋରରେ ମହିଳାଙ୍କୁ ମାଡ଼ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ରାୟଗଡ଼ା ପେରୁଗୁଡାରେ ପିଲା ଚୋର ଭାବି ୨ଜଣଙ୍କୁ ମାଡ଼ ଘଟଣାରେ ୧୬ ଜଣଙ୍କୁ ଗିରଫ କରିଛି ଅମ୍ବାଦଳା ପୋଲିସ । ଆସ୍କା ଘଟଣାରେ ପୋଲିସ ୩୫ଜଣଙ୍କୁ ଥାନାକୁ ଡାକି ପରିଚୟ ଯାଞ୍ଚ କରିଛି।

 

 

 

 

 

You might also like