ନନ୍ଦନକାନନରେ ମହାବଳ ବାଘ ମନୀଷର ମୃତ୍ୟୁ

୧୦ ବର୍ଷ ବୟସ୍କ ମନୀଷ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲା

ଭୁବନେଶ୍ୱର : ନନ୍ଦନକାନନରେ ମହାବଳ ବାଘ ମନୀଷର ମୃତ୍ୟୁ। ୧୦ ବର୍ଷ ବୟସ୍କ ମନୀଷ ଗତ ୬ ମାସ ହେଲା ନନ୍ଦନକାନନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା। ସିଟାଉକ୍ସଜୁନ୍ ଫେଲିସ୍ ନାମକ ଭାଇରସ୍‌ର ସଂକ୍ରମଣରେ ମନୀଷ ବ୍ଲଡ୍ ପ୍ରୋଟୋଜୋଅାନ୍ ରୋଗରେ ପୀଡିତ ଥିଲା । ଏହି ରୋଗର ସେଭଳି କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ନାହିଁ।

ଏହା ସତ୍ତ୍ୱେ ଓୟୁଏଟିର ବିଶେଷଜ୍ଞ ଓ ନନ୍ଦନକାନନର ଡାକ୍ତରମାନେ ମନୀଷର ଚିକିତ୍ସା ଜାରି ରଖିଥିଲେ। ମନୀଷର ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ କରିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଉଦ୍ୟମ କରିଥିଲେ। ଏହି ଟ୍ରାନ୍ସଫ୍ୟୁଜନ୍ ହେବା ପୂର୍ବରୁ ମନୀଷ ଅାଖି ବୁଜିଥିବା ନନ୍ଦନକାନନ ଉପ ନିର୍ଦ୍ଦେଶକ ଜୟନ୍ତ କୁମାର ଦାସ ପ୍ରେସ୍ ବିଜ୍ଞପ୍ତି ଜରିଅାରେ ଜଣାଇଛନ୍ତି।

ମନୀଷର ଔରସ ଓ ଧଳା ବାଘୁଣୀ ସ୍ନେହାର ଗର୍ଭରୁ ୨୦୧୬ ଅଗଷ୍ଟ ୬ ତାରିଖରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩ଟି ବାଘ ଛୁଅା ଜନ୍ମ ହୋଇଥିଲେ । ଏମାନଙ୍କ ମଧ୍ୟରେ ଗୋଟିଏ କଳାବାଘ ଓ ଅନ୍ୟ ଦୁଇଟି ସାଧାରଣ ମହାବଳ ବାଘ ଥିଲେ। ମନୀଷର ମୃତ୍ୟୁ ପରେ ନନ୍ଦନକାନନରେ ବର୍ତ୍ତମାନ ୧୧ଟି ବାଘ ଓ ୧୩ଟି ବାଘୁଣୀ ରହିଲେ।

You might also like