କେନ୍ଦ୍ରାପଡା ରାଜନଗରରେ କୂଳ ଲଂଘୁଛି ବ୍ରାହ୍ମଣୀ

କେନ୍ଦ୍ରାପଡା : କେନ୍ଦ୍ରାପଡା ରାଜନଗରରେ କୂଳ ଲଂଘୁଛି ବ୍ରାହ୍ମଣୀ। ବାରମ୍ବାର ଅତଡା ଖାଇ ଗାଁକୁ ଛୁଇଁଲାଣି। ଗୋବର୍ଦ୍ଧନପୁର, ଜୁନଗଡି, କ୍ଷୀରକୋଟ ଓ ରାଜଗଡ ବ୍ରାହ୍ମଣୀର ସୁଅରେ ଲୀନ ହୋଇଯିବା ଆଶଙ୍କା। ବର୍ଷା ଆରମ୍ଭରୁ ଏଭଳି ସ୍ଥିତି ନଇ କୂଳିଆବାସୀଙ୍କୁ ଆତଙ୍କିତ କରିଛି। ସେପଟେ ପ୍ରତିବର୍ଷ ଭଳି ଏଥର ମଧ୍ୟ କୁମ୍ଭୀର ଭୟ। ପୂର୍ବରୁ ବନ୍ୟାରେ ଘରଡିହ ହରାଇଛନ୍ତି ଲୋକେ। ଆଡିବନ୍ଧ  ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନକୁ ଗୁହାରି କରିଛନ୍ତି, ହେଲେ କିଛି ଉତ୍ତର ମିଳିନାହିଁ। କିନ୍ତୁ ଏଥର ଜିଲ୍ଲାପାଳ କହିଛନ୍ତି, ଅନୁଧ୍ୟାନ କରାଯାଇଛି, ଆବଶ୍ୟକ ହେଲେ ସୁରକ୍ଷା ଯୋଗାଇ ଦିଆଯିବ।

କେବଳ ବ୍ରାହ୍ମଣୀ ନୁହଁ ,କଳାହାଣ୍ଡିରେ ଡରାଉଛି ହାତୀ ନଦୀ। ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି ନଦୀ କୂଳରେ ରହୁଥିବା  କଲମପୁର ଅଞ୍ଚଳର ଶତାଧିକ ଲୋକ। ନଦୀ ଗର୍ଭରେ ଲୀନ ହେବାକୁ ବସିଛି ବାଲିଛଡା ଗାଁ। ନଦୀର ସୁଅରେ ପ୍ରାୟ ୧୦୦ ଫୁଟ୍ ମାଟି ଧୋଇ ଚାଲିଗଲାଣି। ଘରଦ୍ୱାର ଭାଙ୍ଗି ଗଲାଣି, ଲୋକେ ଉପାୟଶୂନ୍ୟ। ଭିଟାମାଟି ଛାଡିବା ଛଡା ବାଟବି ନାହିଁ।

ବାରମ୍ବାର ଅଭିଯୋଗ ପରେ ବି ନା ନଦୀବନ୍ଧ ମରାମତି ହେଉଛି ନା ପକ୍କା ରାସ୍ତା ନିର୍ମାଣ ହୋଇଛି। ଚାଷୀ ତ ଭଗବାନ ଭରସାରେ। ପ୍ରତିବର୍ଷ ବନ୍ୟା ସମୟରେ ରାଜନେତାଙ୍କ ପ୍ରତିଶ୍ରୁତି ତ ମିଳେ ହେଲେ ସମସ୍ୟା ସମସ୍ୟାରେ ରହିଯାଏ।

ନଦୀକୂଳିଆ ଗାଁର ସୁରକ୍ଷା ପାଇଁ ସରକାରଙ୍କ ଅନେକ ଯୋଜନା, ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ଲୋକଙ୍କ ଭାଗ୍ୟ କିନ୍ତୁ ସୁଧୁରିପାରିନି।

 

You might also like