୯୨.୫ ପ୍ରତିଶତ ଦୁଷ୍କର୍ମ ଘଟଣାରେ ସମ୍ପର୍କୀୟ ଓ ପଡ଼ୋଶୀ ଦାୟୀ : ଡିଜି

ଭୁବନେଶ୍ୱର: ରାଜ୍ୟରେ ଘଟି ଚାଲିଥିବା ଦୁଷ୍କର୍ମ ଘଟଣାକୁ ନେଇ ପୋଲିସ ଡିଜି ଆର୍‌ ପି ଶର୍ମା ଉଦ୍‌ବେଗ ପ୍ରକାଶ କରିଛନ୍ତି। ବୁଧବାର କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଏକ ପ୍ରେସ୍ ମିଟ୍‌ କରି ଶର୍ମା କହିଛନ୍ତି ଯେ, ଗତ ଏପ୍ରିଲ୍‌ ମାସରେ ରାଜ୍ୟରେ ଅନେକ ଗୁଡ଼ିଏ ଦୁଷ୍କର୍ମ ଘଟଣା ଘଟିଛି। ବିଶେଷ କରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା ବଢ଼ିଛି। ଏହା ଚିନ୍ତାଜନକ ବିଷୟ ବୋଲି ଡିଜି କହିଛନ୍ତି।

ଗତ କିଛିଦିନ ହେଲାଣି ରାଜ୍ୟରେ ଏମିତି ଘୃଣ୍ୟ ଘଟଣା ଘଟି ଚାଲିଛି। ନିକଟ ଅତୀତରେ ଘଟିଥିବା ଘଟଣାଗୁଡ଼ିକର ଅଭିଯୁକ୍ତମାନେ ଗିରଫ ହୋଇ ସାରିଛନ୍ତି। କିନ୍ତୁ ଚିନ୍ତାର ବିଷୟ ହେଉଛି ୯୨.୫ ପ୍ରତିଶତ ଘଟଣାରେ ନିକଟ ସମ୍ପର୍କୀୟ, ପଡ଼ୋଶୀ ବା ସ୍ଥାନୀୟ ଲୋକ ଅଭିଯୁକ୍ତ ଅଛନ୍ତି। ସେହିଭଳି ୩୮.୫ ପ୍ରତିଶତ ଘଟଣାରେ ଅଭିଯୁକ୍ତଙ୍କୁ ଦଣ୍ଡବିଧାନ କରାଯାଇଛି ବୋଲି ଶର୍ମା କହିଛନ୍ତି।

ଏସବୁ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କାଲି ଏନେଇ ସବୁ ଜିଲ୍ଲା ଏସ୍‌ପି ଓ ଡିସିପିଙ୍କ ସହ ଆଲୋଚନା ହୋଇଥିଲା। ଏଭଳି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏଭଳି ଘଟଣାରେ ତୁରନ୍ତ ମାମଲା ଦାୟର ସହ ଯଥାଶୀଘ୍ର ଅଭିଯୁକ୍ତକୁ ଗିରଫ ପାଇଁ ନିର୍ଦ୍ଦେଶ ମଧ୍ୟ ହୋଇଛି। ଏଭଳି ଘଟଣାକୁ ରେଡ୍ ଫ୍ଲାଗ୍ ବିବେଚନା କରାଯାଇ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

 

You might also like