ରାଜସ୍ୱ ମନ୍ତ୍ରୀଙ୍କ ପିଏଙ୍କୁ ଆକ୍ରମଣ ଅଭିଯୋଗ
ପୁରୀ : ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବ୍ୟକ୍ତିଗତ ସହାୟକ ଭବାନୀ ପ୍ରସାଦ ସାହୁଙ୍କୁ ଆକ୍ରମଣ ଅଭିଯୋଗ। ଅଭିଯୋଗ ଅନୁସାରେ, ଗତ ରାତିରେ ଭବାନୀ ସ୍କୁଟିରେ ଘରକୁ ଫେରୁଥିବା ବେଳେ ବଡ଼ଦାଣ୍ଡ ନିକଟ ଖାକିମଠ ନୂଆସାହିରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଖଣ୍ଡା ଓ ମାରଣାସ୍ତ୍ରରେ ଆକ୍ରମଣ କରିବା ଫଳରେ ଭବାନୀଙ୍କ ମୁଣ୍ଡ, ମୁହଁ ଓ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସ୍କୁଟିରେ ତାଙ୍କ ପଛରେ ବସିଥିବା ସୋମନାଥ ସାହୁ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।
ଭବାନୀଙ୍କୁ ପ୍ରଥମେ ପୁରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ତେବେ ରାଜନୈତିକ ନା ବ୍ୟବସାୟିକ କାରଣରୁ ଏହି ଆକ୍ରମଣ ହୋଇଛି ପୋଲିସ ସେନେଇ ତଦନ୍ତ କରୁଛି।