ବୁରାଡ଼ି ଗଣ ଆତ୍ମହତ୍ୟା ଉପରୁ ହଟୁଛି ପରଦା

ନୂଆଦିଲ୍ଲୀ: ବୁରାଡ଼ି ଗଣ ଆତ୍ମହତ୍ୟା ପଛରେ ମହିଳା ତାନ୍ତ୍ରିକଙ୍କ ସଂପୃକ୍ତି। ଗୋଟିଏ ଇସାରାରେ ଭାଟିଆ ପରିବାରର ୧୧ ଜଣ କଲେ କି ଆତ୍ମହତ୍ୟା? ତନ୍ତ୍ର ବିଦ୍ୟା ଯୋଗୁ ଗଲା କି ଭାଟିଆ ପରିବାରର ଜୀବନ ? ଏସମସ୍ତ ଖିଅକୁ ନେଇ ଏବେ ତଦନ୍ତ ଆଗକୁ ବଢ଼ାଇଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ। ଏହାରି ଭିତରେ ମାମଲାରେ ପ୍ରଥମ ଗିରଫଦାରୀ ହୋଇଛି। ମହିଳା ତାନ୍ତ୍ରିକ ଗୀତା ମାତାକୁ ଗିରଫ କରି ପଚରାଉଚରା କରୁଛି ଦିଲ୍ଳୀ କ୍ରାଇମବ୍ରାଞ୍ଚ।

ଏହି ମହିଳା ତାନ୍ତ୍ରିକଙ୍କ ଇସାରାରେ ହିଁ ଭାଟିଆ ପରିବାର ନିଜ ଘରର କାୟା ବଦଳାଇଥିଲେ। ଘରର ୧୧ଟି ପାଇପ୍, ୧୧ଟି ଝରକା, ୧୧ ରେଲିଂ ଭଳି ନିର୍ମାଣ ଗୀତାଙ୍କ ଇସାରାରେ ହୋଇଥିଲା।  କୁହାଯାଉଛି ଭାଟିଆ ପରିବାରରେ ଏହି ମହିଳା ତାନ୍ତ୍ରିକଙ୍କ ବେସ୍ ଦବଦବା ଥିଲା । ଘରର ବିଭିନ୍ନ ନିଷ୍ପତ୍ତିରେ ବି ଏହି ତାନ୍ତ୍ରିକଙ୍କ ପରାମର୍ଶ ନେଉଥିଲେ ପରିବାର ଲୋକେ। ଭାଟିଆ ପରିବାରଙ୍କ ଘରେ ହେଉଥିବା ବିଭିନ୍ନ ପୂଜାର୍ଚ୍ଚନା ଏହି ମହିଳାଙ୍କ ଇସାରାରେ ହିଁ ହେଉଥିଲା।

ମୃତ୍ୟୁ ପୂର୍ବ ଦିନ ଲଲିତ ଭାଟିଆ ଗୀତାଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ଉଭୟଙ୍କ ମଧ୍ୟରେ ବେସ୍ କିଛି ସମୟ କଥାବାର୍ତ୍ତା ହୋଇଥିବା କଲ୍ ରେକର୍ଡରୁ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ। ତେବେ ମାମଲାରେ ନିଜକୁ ଦୁରେଇ ରଖିଛନ୍ତି ଗୀତା ମାତା। ଲଳିତ ଭାଟିଆଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିବା ସେ କହିଛନ୍ତି।  ଲଳିତ ଭାଟିଆଙ୍କ ସନ୍ଥନଗର ଘରର ନିର୍ମାଣ ଠିକା ନେଇଥିବା ବ୍ୟକ୍ତି କୁଅଁର ପାଳଙ୍କ ଝିଅ ହେଉଛନ୍ତି ଗୀତା।

ସେପଟେ ଘଟଣା ଉପରୁ ପୁରା ପରଦା ହଟାଇବା ପାଇଁ ଆଉ ପାଦେ ଆଗକୁ ବଢ଼ିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ। ସମସ୍ତ ମୃତଦେହକୁ ସାଇକୋଲଜିକାଲ୍ ଅଟୋପସି  କରାଯିବ। ସହ ମୃତ୍ୟୁ ପୂର୍ବରୁ ସୃତକଙ୍କ ମାନସିକ ଅବସ୍ଥା କିପରି ଥିଲା ସେ ନେଇ ଯାଞ୍ଚ ହେବ। ବୁରାଡି ଗଣ ଆତ୍ମହତ୍ୟା ଘଟଣାକୁ ଯେତେ ଦିନ ବିତୁଛି, ଏନେଇ ସେତେ ଗୁମର ଫିଟିବାରେ ଲାଗିଛି

You might also like