ସରକାରଙ୍କ ବିଜୁ ପକ୍କା ଘର ଭେଳିକ
ଭୁବନେଶ୍ୱର: ସରକାର ଗରିବ ବୋଲି ମାନ୍ୟତା ଦେଲେ ସତ। ହେଲେ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ବିଜୁ ପକ୍କାଘର ଯୋଜନାରେ ଘରଟିଏ ଦେଉନାହାଁନ୍ତି। ଯାହାକି ସାଲେପୁର ରଟିଲୋ ଗାଁର ସୁବାସ ମଣ୍ଡଳଙ୍କ କ୍ଷେତ୍ରରେ ହୋଇଛି। ବାରମ୍ବାର ଅାବେଦନ କରି ବି ପକ୍କାଘରଟିଏ ପାଇପାରୁନାହାଁନ୍ତି ସୁବାସ। ସେହିପରି କୁରୁଳି ଗାଁର ପଙ୍କଜ ଲେଙ୍କାଙ୍କର ବି ସମାନ ଅବସ୍ଥା। ବୟସର ଅପରାହ୍ନରେ ପହଞ୍ଚିଥିବା ଏହି ବୃଦ୍ଧ ଦମ୍ପତ୍ତିଙ୍କ ପାଇଁ ଅାବାସ ଯୋଜନାରେ କି ବିଜୁ ପକ୍କାଘର ଖଣ୍ଡେ ନାହିଁ। ପୂରା ପଞ୍ଚାୟତରେ ୨୫ରୁ ଅଧିକ ଗରିବ ପ୍ରଧାନମନ୍ତ୍ରୀ ଅାବାସ କିମ୍ବା ବିଜୁ ପକ୍କାଘରରେ ଘରଟିଏ ପାଇଁ ଅାବେଦନ କରିଥିଲେ। ହେଲେ ପକ୍କାଘରର ପଦ୍ମ ଏମାନଙ୍କ ପାଇଁ ଘୁଞ୍ଚି ଘୁଞ୍ଚି ଯାଉଛି।
ଏପଟେ କିନ୍ତୁ ସରକାରଙ୍କ ଦାବି ୪ ବର୍ଷରେ ୧୭ ଲକ୍ଷ ଗରିବଙ୍କ ପାଇଁ ତିଅାରି କରିଛନ୍ତି ବିଜୁ ପକ୍କାଘର। ବିଜ୍ଞାପନରେ କେବଳ ବିଜୁ ପକ୍କାଘର ଯୋଜନାରେ ୧୭ ଲକ୍ଷ ବିଜୁ ପକ୍କାଘର କରିଥିବା କହୁଛନ୍ତି ସରକାର। କିନ୍ତୁ ପଞ୍ଚାୟତ ରାଜ ବିଭାଗର ୱେବ୍ସାଇଟ୍ କହୁଛି ୪ ବର୍ଷରେ ନିର୍ମାଣ ହୋଇଛି ୨ ଲକ୍ଷ ୭୯ ହଜାର ବିଜୁ ପକ୍କାଘର। ବାକି ୧୫ ଲକ୍ଷ ୪୧ ହଜାର ଘର ପ୍ରଧାନମନ୍ତ୍ରୀ ଅାବାସ ଓ ଇନ୍ଦିରା ଅାବାସରେ ହୋଇଛି। ସେପଟେ ସରକାରଙ୍କ କଥା ଓ କାମରେ କେତେ ଫରକ ତାର ଉଦାହରଣ ଦେଇ ୧୭ ଲକ୍ଷର ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପଞ୍ଚାୟତ ରାଜ ମନ୍ତ୍ରୀ ଦାମୋଦର ରାଉତ। ବିଜେପି ମଧ୍ୟ ଏ ନେଇ ଶ୍ୱେତପତ୍ର ପ୍ରକାଶ କରିବାକୁ ଦାବି କରିଛି। ହେଲେ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ୧୯ ସୁଦ୍ଧା ରାଜ୍ୟରେ ଅାଉ କଚ୍ଚାଘର ରହିବନି।
ପକ୍କାଘରକୁ ନେଇ ସରକାର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ତଥ୍ୟ ଦେଇଛନ୍ତି। ବିଧାନସଭାରେ ୨୦୧୫ ଡିସେମ୍ବର ୧୫ରେ କହିଥିଲେ ଇନ୍ଦିରା ଅାବାସ ପ୍ରଧାନମନ୍ତ୍ରୀ ଅାବାସ ଓ ବିଜୁ ପକ୍କାଘର ମିଶି ୧୩-୧୪ ରୁ ସମୁଦାୟ ୩ ଲକ୍ଷ ୨ ହଜାର ଘର ହୋଇଛି। ୫ ମାସ ପରେ ୨୦୧୬ ମେ ମାସରେ ସରକାର ଦାବି କଲେ ୨ ବର୍ଷରେ ୧୦ ଲକ୍ଷ ବିଜୁ ପକ୍କାଘର କରିଛନ୍ତି। କିନ୍ତୁ ହଠାତ୍ ବିଧାନସଭାରେ ସେହିବର୍ଷ ଡିସେମ୍ବର ୬ରେ କହିଲେ ପକ୍କାଘର ନିର୍ମାଣ ନେଇ ତଥ୍ୟ ସଂଗ୍ରହ ଚାଲିଛି। ତଥ୍ୟର ଏ ଗୋଳମାଳ ଭିତରେ ଯଦି ଗରିବ ପକ୍କାଘର ପାଉନାହାଁନ୍ତି ତେବେ କାଗଜ କଲମରେ ସଂଖ୍ୟା ବଢ଼ାଇ ସରକାର ଭେଳିକି କରୁନାହାଁନ୍ତିକି ?