• translate
Odishatv Bureau

ସାଲେପୁର: ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ତିନି ବର୍ଷ ହେଲାଣି ମନ୍ଦିର ବେଢାରେ ଚାଲିଛି ବିଦ୍ୟାଳୟ। ସ୍କୁଲ ପାଇଁ ଅର୍ଥ ମଂଜୁର ହୋଇଥିଲେ ମଧ୍ୟ ଜାଗା ଅଭାବରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ। ଫଳରେ ଅନେକ ସମସ୍ୟା ଦେଇ ପାଠ ପଢୁଛନ୍ତି ପିଲାଏ।

vlcsnap-2018-06-27-16h14m52s697ଏ ହେଉଛି କଟକ ଜିଲ୍ଲା କିଶୋର ନଗର ତହସିଲ ମୁର୍କୁଣ୍ଡି ଗାଁର ବାଣେଶ୍ୱର ମହାଦେବଙ୍କ ମନ୍ଦିର । ଏହି ମନ୍ଦିରର ବେଢ଼ାରେ ଚାଲିଛି ସ୍କୁଲ। ସ୍କୁଲର ନାମ ଫଳକ ନାହିଁ କି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ବି ଦିଆଯାଉନି। ଦୀର୍ଘ ତିନି ବର୍ଷ ହେଲାଣି ଏଭଳି ଅବ୍ୟବସ୍ଥିତ ଢଙ୍ଗରେ ଚାଲିଛି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ। ମନ୍ଦିରରେ ବିଦ୍ୟାଳୟ ଚାଲିଥିବାରୁ ପାଠପଢାରେ ମଧ୍ୟ ଅସୁବିଧା ହେଉଛି। ମନ୍ଦିରର ଘଣ୍ଟଘଣ୍ଟି ଶଦ୍ଦରେ କିଛି ଶୁଣାଯାଉନଥିବା କହିଛନ୍ତି ଛାତ୍ରଛତ୍ରୀ। ଆଉ ବର୍ଷା ହେଲେ କଥା ସରିଲା ବର୍ଷା ପାଣି ଛିଟାରେ ନାଁ ବସି ହେଉଛି ନାଁ ପାଠ ପଢ଼େଇ ହେଉଛି। ବିଦ୍ୟାଳୟର ସମସ୍ୟା ନେଇ ବହୁବାର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଫଳ ଶୂନ। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଏହି ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ଥିବାବେଳେ ପାଠ ପଢନ୍ତି ୨୪ ପିଲା। ଏହି ସମସ୍ତ ପିଲାଙ୍କ ପାଇଁ ଅଛନ୍ତି ୨ ଶିକ୍ଷକ। ସ୍କୁଲ ନିର୍ମାଣ ପାଇଁ ଅର୍ଥ ମଂଜୁର ହୋଇଛି ହେଲେ ସ୍ଥାନ ଅଭାବରୁ ଏହା ତିଆରି ହୋଇପାରୁନ ଥିବା କହିଛନ୍ତି ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ। ଏ ନେଇ କିଶୋର ନଗର ତହସିଲଦାରଙ୍କୁ ଜଣାଯାଇଛି। ଅନ୍ୟପକ୍ଷରେ ଏହି ସମସ୍ୟା ନେଇ ତହସିଲଦାର କୌଣସି ବିବୃତି ଦେବାକୁ ମନାକରିଦେଇଛନ୍ତି।

( ସାଲେପୁରରୁ ମନୋଜ ଆଚାର୍ଯ୍ୟଙ୍କ ରିପୋର୍ଟ)

Other Stories