ଶ୍ରୀମନ୍ଦିର ଭିତରଭଣ୍ଡାର ଚାବି ହଜିବା ଘଟଣାରେ ନିଦାବିଷ୍ଣୁ ସରକାର

ପୁରୀ : ୦୪.୦୫.୨୦୧୮ ମସିହା। ଚାବି ନଥାଇ ଜାଣିବି ଚାଲିଥିଲା ଭିତରଭଣ୍ଡାର ଯାଞ୍ଚ ଭେଳିକି। କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଭୂଆଁ ବୁଲୋଉଥିଲା କି ଶ୍ରୀମନ୍ଦିର ପ୍ରଶାସନ ? ଚାବି ହଜିଯାଇଥିବା ନେଇ ଏପ୍ରିଲ ୪ ପରିଚାଳନା କମିଟି ବୈଠକ ବିବରଣୀରୁ ସ୍ପଷ୍ଟ ହେବା ପରେ, ଏ ପ୍ରଶ୍ନ ଏବେ ସବୁ ଓଡ଼ିଆଙ୍କର, ସବୁ ଜଗନ୍ନାଥ ପ୍ରେମୀଙ୍କର। ସେଦିନ ଯାଞ୍ଚ ଆଳରେ କାହିଁକି ହୋଇଥିଲା ଏମିତି ଡ୍ରାମା। ପାଖରେ ଚାବି ନଥିଲା, କିନ୍ତୁ ବୀର ଦର୍ପରେ ସର୍ଚ୍ଚ ଲାଇଟ୍ ସହ ୧୭ ଜଣିଆ ଯାଞ୍ଚକାରୀ ଦଳ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ଗଜପତି ମହାରାଜଙ୍କ ପ୍ରତିନିଧି ପ୍ରମୁଖଙ୍କ ମନ୍ଦିର ପ୍ରବେଶ। କଣ ଆବଶ୍ୟକତା ଥିଲା ଏସବୁର ?

ତେବେ ସବୁଠୁ ବଡ଼ କଥା ହେଉଛି ଭିତର ରତ୍ନଭଣ୍ଡାର ଯାଞ୍ଚ ମିଶନ୍ ଫେଲ୍ ମାରିବା ଏବଂ ଚାବି ହଜିଥିବା ବିଷୟ ସ୍ପଷ୍ଟ ହେବାର ୨ ମାସ ପରେ ବି ଚାବି କୁଆଡ଼େ ଗଲା,କିଏ ନେଲା, ଏବେ କାହା ପାଖରେ ଅଛି। ସେନେଇ ତଦନ୍ତ ଘର ଶୂନ୍, ହଲ୍‌ଚଲ୍‌ ବି ନାହିଁ। ଏଭଳି ସ୍ଥିତିରେ ଘଟଣାର ମୁକ୍ତି ମଣ୍ଡପ ପଣ୍ଡିତ ସଭା ସିବିଆଇ ତଦନ୍ତ ଦାବି କରିଥିଲା ବେଳେ, ପୁରା ଘଟଣା ଉପରେ ହାଇକୋର୍ଟ ହସ୍ତକ୍ଷେପ କରିବାର ଆବଶ୍ୟକତା ଥିବା କହିଛନ୍ତି ଗରାବଡୁ ନିଯୋଗ ସଂପାଦକ।

ବିଧି ବ୍ୟବସ୍ଥା ଅନୁଯାୟୀ ଚାବି ଟ୍ରେଜେରୀ ବା ଜିଲ୍ଲା କୋଷାଗାରରେ ରହିବା କଥା। ଏପରିକି ୧୯୭୮ ମସିହାରେ ରତ୍ନଭଣ୍ଡାର ଯାଞ୍ଚ ପରେ ତତ୍କାଳୀନ ଜିଲ୍ଲାପାଳଙ୍କୁ ଚାବି ହସ୍ତାନ୍ତର କରାଯାଇଥିବା ସେତେବେଳର ପରିଚାଳନା କମିଟି ସଦସ୍ୟ କହିଛନ୍ତି। ହେଲେ ଏପ୍ରିଲ୍ ୪ ପରିଚାଳନା କମିଟି ବୈଠକରେ ବର୍ତ୍ତମାନର ଜିଲ୍ଲାପାଳ କହିଥିଲେ, ଚାବି ଟ୍ରେଜେରୀରେ ନାହିଁ। ଏଠି ପ୍ରଶ୍ନ ଟ୍ରେଜେରୀର ପରମାନେଣ୍ଟ ରେଜିଷ୍ଟରରେ ଏନେଇ କି ତଥ୍ୟ ରହିଛି? କିଏ କେତେବେଳେ ଚାବି ନେଇଛି, କେବେ ଡିପୋଜିଟ୍ ହୋଇଛି ତାହା ତ ରେଜିଷ୍ଟରରୁ ମିଳିବା କଥା? ଏସବୁ ତଦନ୍ତ ନିହାତି ଜରୁରୀ ବୋଲି କହିଛନ୍ତି ପୂର୍ବତନ ଟ୍ରେଜେରୀ କର୍ମଚାରୀ। ହେଲେ ଏନେଇ କିନ୍ତୁ ନା ସରକାର ନା ଶ୍ରୀମନ୍ଦିର ପ୍ରଶାସନ, କେହି ବି ମୁହଁ ଖୋଲିବାକୁ ନାରାଜ।

ଶ୍ରୀମନ୍ଦିର ଆଇନ୍‌ରେ ତିନି ବର୍ଷରେ ଥରେ ଭିତର ଓ ବାହାର ଭଣ୍ଡାରର ଅଳଙ୍କାର ଓ ଅନ୍ୟ ଦ୍ରବ୍ୟର ତାଲିକା ପ୍ରସ୍ତୁତି ପାଇଁ ନିୟମ ରହିଛି। ହେଲେ ଏଠି ପ୍ରଶ୍ନ କାହିଁକି ଏତେ ବର୍ଷ ଧରି ଏ ନିୟମକୁ ଭୁଲି ଯାଇଥିଲେ ସରକାର? ଚାବି ନଥିବା ଏହାର ମୁଖ୍ୟ କାରଣ ନୁହେଁ ତ? ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଭଳି ଏସବୁ ପ୍ରଶ୍ନ ବି ଏବେ ରହସ୍ୟଘେରରେ।

ଆହୁରି ପଢ଼ନ୍ତୁ

You might also like