ସତ ଆସିଲା ପଦାକୁ : ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ହଜିଛି

ପୁରୀ: ହଜି ଯାଇଛି ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଚାବିକାଠି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ବିବରଣୀରୁ ଏହା ସ୍ପଷ୍ଚ ହୋଇଛି। ଏପ୍ରିଲ ୪ ତାରିଖରରେ ବସିଥିବା ପରିଚାଳନା କମିଟି ବୈଠକ ବିବରଣୀର ନକଲରେ ପରିଚାଳନା କମିଟି ସଦସ୍ୟ, ଏପରିକି ନିଜେ ଗଜପତି ମହାରାଜ ମଧ୍ୟ ଚାବି ହଜିବା ବିଷୟ ଜାଣି ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଥିବା ଉଲ୍ଲେଖ ରହିଛି। ରତ୍ନଭଣ୍ଡାର ସ୍ଥିତି ଯାଞ୍ଚବେଳେ ମନ୍ଦିର ପ୍ରଶାସନ ଦେଇଥିବା ଚାବି ଭୁଲ୍ ବୋଲି ଯାଞ୍ଚ ଟିମ୍ ସଦସ୍ୟ କହିବା ପରେ କଥା ପଦାକୁ ଆସିଥିଲା। ଏହାପରେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। 

ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚବେଳେ କାହିଁକି ଭିତର ଭଣ୍ଡାରକୁ ପଶି ପାରି ନ ଥିଲେ ଯାଞ୍ଚ ଟିମ୍ ?

କେଉଁ ପରିସ୍ଥିତିରେ ଭିତର ଭଣ୍ଡାର ଚାବି ନ ଖୋଲି ଲୁହା ଜାଲି ବାଟେ ସର୍ଚ୍ଚ ଲାଇଟ୍‌ରେ ହୋଇଥିଲା ସ୍ଥିତି ଅନୁଧ୍ୟାନ ?

ଓଟିଭିକୁ ହସ୍ତଗତ ହୋଇଥିବା ତଥ୍ୟରେ ଏହି ସମସ୍ତ ଘଟଣା ସାମ୍ନାକୁ ଆସିଛି।  ପଦାକୁ ଆସିଛି ୟା ପଛର ଅସଲ କାରଣ। ରତ୍ନଭଣ୍ଡାର ଯାଞ୍ଚ ପରେ ଏପ୍ରିଲ ୪ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା। ଏହାର ବିବରଣୀରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇଥିବା ସଭ୍ୟମାନେ ଭିତର ଭଣ୍ଡାର ଦ୍ୱାର ଗ୍ରୀଲରେ ୩ଟି ତାଲା ପଡ଼ିଥିବା ଦେଖିଥିଲେ। ଯେଉଁଥିରୁ ଗୋଟିଏ ତାଲା ଜଉମୁଦ ଦିଆଯାଇଥିଲା। ହେଲେ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ଚାବିକାଠି ସେ ତାଲାର ନୁହେଁ ବୋଲି ଅନୁଭବ ହେବାରୁ ବିନା ପରିଚାଳନା କମିଟି ଅନୁମୋଦନରେ ତାଲା ନ ଭାଙ୍ଗି ଗ୍ରୀଲ୍ ଏପଟୁ ଥାଇ ଭିତର ସ୍ଥିତି ପରଖିଥିଲେ ଯାଞ୍ଚ ଟିମ୍।

ତେବେ କେଉଁ ପରିସ୍ଥିତିରେ ଦିଆଯାଇଥିଲା ଭୁଲ୍ ଚାବି ଏହାକୁ ନେଇ ମଧ୍ୟ ବୈଠକରେ ତନାଘନା ହୋଇଥିଲା। ପୁରୀ ଜିଲ୍ଲାପାଳ କହିଥିଲେ, ଟ୍ରେଜେରୀରେ ଥିବା ସବୁ ରେଜିଷ୍ଟରକୁ ସେ ପୁଙ୍ଖାନୁପୁଙ୍ଖ ଭାବେ ଖୋଜିଥିଲେ ଓ ୧୯୭୦ ମସିହାରୁ ଭିତର ଭଣ୍ଡାର ଚାବି ଜମା ରହିବା କିମ୍ବା ପରେ ଟ୍ରେଜେରୀରୁ ଚାବି ଅଣାଯିବାର କୌଣସି ପ୍ରମାଣ ପାଇ ନ ଥିଲେ। ତେଣୁ ଚାବି ହଜି ଯାଇଥିବା ଏକପ୍ରକାର ସ୍ପଷ୍ଟ ହୋଇଥିଲା। ଯାହା ଶୁଣି ପରିଚାଳନା କମିଟି ସଭ୍ୟ ଓ ଗଜପତି ମହାରାଜ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।

ଯଦି ଭିତର ଭଣ୍ଡାର ଚାବି ନ ମିଳେ ଆଗକୁ କ’ଣ କରାଯିବ? ତା’ ଉପରେ ବି ଆଲୋଚନା ହୋଇଥିଲା। ଯେଉଁଥିରେ ଚାବି ଭଙ୍ଗାଯିବା ନିଷ୍ପତ୍ତି ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟିର ପରବର୍ତ୍ତି ବୈଠକରେ ଆଲୋଚନା ପାଇଁ ସମସ୍ତେ ଏକମତ ହୋଇଥିଲେ। ଯେହେତୁ ପ୍ରତି ୩ବର୍ଷରେ ବାହାର ଓ ଭିତର ଭଣ୍ଡାରର ଅଳଙ୍କାର ଓ ଅନ୍ୟ ଦ୍ରବ୍ୟର ତାଲିକା ପ୍ରସ୍ତୁତ ପାଇଁ ଶ୍ରୀମନ୍ଦିର ଆଇନରେ ଉଲ୍ଲେଖ ଅଛି, ତେଣୁ ତାକୁ ନିୟମିତ କାର୍ଯ୍ୟକାରୀ କରିବାକୁ ସଭ୍ୟମାନେ ମତ ଦେଇଥିଲେ। ଏଠି ପ୍ରଶ୍ନ ଉଠୁଛି ଯଦି ଶ୍ରୀମନ୍ଦିର ଆଇନରେ ତିନି ବର୍ଷରେ ଥରେ ତାଲିକା କରିବାକୁ ବ୍ୟବସ୍ଥା ଥିଲା ତେବେ ତାହା କାର୍ଯ୍ୟକାରୀ ହେଉ ନ ଥିଲା କାହିଁକି ? ଏହା ପଛରେ ଚାବି ହଜିବା କାରଣ ନ ଥିଲା ତ ?

ପରିଚାଳନା କମିଟି ବୈଠକର ବିବରଣୀ ଅନୁସାରେ ରତ୍ନ ଭଣ୍ଡାର ଯାଞ୍ଚବେଳେ ଭିତର ଘରେ ୩ଟି କାଠ ସିନ୍ଧୁକ, ବାହାରା ଭଣ୍ଡାର ଘରେ ୨ଟି କାଠ ସିନ୍ଧୁକ, ୨ଟି ଷ୍ଟିଲ୍ ଓ ଗୋଟିଏ କାଠ ଆଲମାରୀ ସହ ଗୋଟିଏ ଦସ୍ତା ବାକ୍ସ ରହିଛି। ତା’ସହ ପ୍ରବେଶ ଦ୍ୱାରରେ ଥିବା ୫ଟି ବିମ୍‌ରୁ ୨ଟି ଖସି ପଡ଼ିଥିବା ବେଳେ ବାକି ୩ଟି ଖରାପ ଅବସ୍ଥାରେ ରହିଛି। ଭଣ୍ଡାର ଘରର କାନ୍ଥ ଓଦାଳିଆ ସାଙ୍ଗକୁ ପ୍ଲାଷ୍ଟର ଖସୁଛି।

କୁଆଡ଼େ ଗଲା କାଳିଆର ଚାବି ?

ହଜିଯାଇଛି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି, ପରିଚାଳନା କମିଟି ବୈଠକ ବିବରଣୀରୁ ହଟଚମଟ, ଗଜପତି ବି ତାଜୁବ୍, ମହଣ ମହଣ ସୁନା ରୂପାର ସୁରକ୍ଷାକୁ ନେଇ ପ୍ରଶ୍ନ ?

ଓଟିଭି यांनी वर पोस्ट केले 1 जून 2018

ଆହୁରି ପଢ଼ନ୍ତୁ

You might also like