ପୁଣି ଘନେଇଲା ରତ୍ନଭଣ୍ଡାର ଚାବି ରହସ୍ୟ

ପୁରୀ: ପୁଣି ଘନେଇଲା ରତ୍ନଭଣ୍ଡାର ଚାବି ରହସ୍ୟ। ଜିଲ୍ଲା ରେକର୍ଡ ରୁମ୍ ଲକରରେ ଥିବା ଏକ ଲଫାପାରୁ ଭିତର ଭଣ୍ଡାରର ନକଲି ଚାବି ମିଳିଥିବା ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ୍ କହିବା ପରେ ଏନେଇ ରହସ୍ୟ ଆହୁରି ଘନେଇଛି।

ଜିଲ୍ଲାପାଳଙ୍କ କହିବା ଅନୁସାରେ, ଭିତର ଭଣ୍ଡାରର ଚାବି ଜିଲ୍ଲା ଟ୍ରେଜେରିରେ ଅଛି ଏବଂ ସେଠାରୁ ଆଣିଦେବା ପାଇଁ ଅନୁରୋଧ କରି ଗତ ଏପ୍ରିଲ ୨ ତାରିଖରେ ଶ୍ରୀମନ୍ଦିର ପ୍ରଶାସକ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଥିଲେ।

ମାତ୍ର ସେଠାରୁ ଚାବି ନ ମିଳିବାରୁ ଜିଲ୍ଲା ଟ୍ରେଜେରି ଅଫିସରଙ୍କ ରିପୋର୍ଟ ଅନୁସାରେ, ଟ୍ରେଜେରିରେ ଭିତର ଭଣ୍ଡାରର ଚାବି ନାହିଁ ବୋଲି ଗତ ୪ ତାରିଖରେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇ ଦିଆଯାଇଥିଲା।  ପୁଣି ମେ ୨୪ ରେ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ରେକର୍ଡରୁମ୍‌ରେ ଚାବିର ତନ୍ନତନ୍ନ ଯାଞ୍ଚ ପାଇଁ ଅନୁରୋଧ କରି ଶ୍ରୀମନ୍ଦିର ପ୍ରଶାସକ ଚିଠି ଲେଖିଥିଲେ।

ଏହାପରେ ୨ଟି ଟିମ୍ ଗଠନ କରାଯାଇ ଚାବି ଖୋଜା ଚାଲିଥିଲା।  ଏହି ପ୍ରକ୍ରିୟାରେ ସେମାନଙ୍କୁ ଜିଲ୍ଲା ରେକର୍ଡ ରୁମ୍‌ରୁ ଗୋଟିଏ ଜଉ ମୁଦ ଲଫାପା ମିଳିଛି।  ଏଥିରେ କିଛି ଚାବି ରହିଛି ଏବଂ ଭିତର ଭଣ୍ଡାର ଡୁପ୍ଲିକେଟ୍ ଚାବି ବୋଲି ଲଫାପା ଉପରେ ଲେଖାଯାଇଛି।  ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ଟ୍ୱିଟ୍ କରି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।  ସେ ଲେଖିଛନ୍ତି, ଡୁପ୍ଲିକେଟ୍ ଚାବି ପାଇଁ ନିୟମ ଅନୁମତି ଦିଏନାହିଁ।  ଏତେ ଦିନ ଧରି ଏହି ଡୁପ୍ଲିକେଟ୍ ଚାବି କେଉଁଠି ଥିଲା? ଏହି ଡୁପ୍ଲିକେଟ୍ ଚାବି ଥିବା ନେଇ ସରକାର କାହିଁକି ଚୁପ୍ ଥିଲେ ବୋଲି ସେ ପ୍ରଶ୍ନ କରିବା ସହ ସରକାର ଏଯାଏଁ ଅସଲି ଚାବିର କୌଣସି ଖୋଜ୍‌ଖବର ପାଉନଥିବା ଲେଖିଛନ୍ତି।

You might also like