ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: ଭାଇ ହାତରେ ରାକ୍ଷୀ ବାନ୍ଧି ଶୁଭ ମନାସୁଛି ଭଉଣୀ

ଭୁବନେଶ୍ୱର: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ ଭଉଣୀ ମଧ୍ୟରେ ଥିବା ଅତୁଟ ବନ୍ଧନକୁ ଚିରନ୍ତନ କରିବା ପାଇଁ ସାରା ରାଜ୍ୟରେ ପାଳିତ ହେଉଛି ରକ୍ଷା ବନ୍ଧନ। ଆଜିର ଏହି ଦିନରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ଲୋଡିଥାଏ। କେବଳ ଭାଇ ଭଉଣୀ ନୁହଁନ୍ତି, ଅନେକ ସମ୍ପର୍କକୁ ଏକ ସୂତା ଖିଅ ମାଧ୍ୟମରେ ଯୋଡିଥାଏ ରାକ୍ଷୀ। ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନ ଚଳଞ୍ଚଳ ହୋଇଉଠିଛି।

ରକ୍ଷା ବନ୍ଧନ ପାଳନ ଦ୍ୱାରା ଭାଇ ଭଉଣୀର ସମ୍ପର୍କ ଅତ୍ୟନ୍ତ ମଧୁର ହୋଇଥାଏ ବୋଲି ବିଶ୍ୱାସ ରହିଛି।

ବିଭିନ୍ନ ଡିଜାଇନ୍‌ର ରାକ୍ଷୀ କିଣିବାକୁ ରାକ୍ଷୀ ଦୋକାନରେ ଗ୍ରାହକଙ୍କ ଭିଡ଼ ଲାଗି ରହିଥିବାବେଳେ ମିଠା ଦୋକାନରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି। ବିଭିନ୍ନ ଭେରାଇଟ୍‌ର ମିଠା ପ୍ରସ୍ତୁତ କରି ବ୍ୟବସାୟୀମାନେ ଗ୍ରାହକଙ୍କୁ ଯୋଗାଇ ଦେଉଛନ୍ତି।

ଚଳିତ ବର୍ଷ ଗ୍ରାହକଙ୍କ ପ୍ରଥମ ପସନ୍ଦ ରହିଛି ଷ୍ଟୋନ୍‌ ରାକ୍ଷୀ। ଯାହାର ଦାମ୍ ୧୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ସେପଟେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରକ୍ଷା ବନ୍ଧନ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁ ଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ରଙ୍କ ହାତରେ ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧିବେ। ପାଟରା ବିଶୋଇ ସେବକଙ୍କ ଦ୍ୱାରା ପ୍ରସ୍ତୁତ ୪ ମୂର୍ତ୍ତି ପାଟ ରାକ୍ଷୀ ଓ ଗୁଆମାଳ ଶ୍ରୀ ବଳଭଦ୍ର ଓ ଜଗନ୍ନାଥଙ୍କ ଶ୍ରୀହସ୍ତରେ ଲାଗି ହୋଇଥାଏ। ବଳଭଦ୍ରଙ୍କୁ ଲାଗି ହେଉଥିବା ରାକ୍ଷୀର ରଙ୍ଗ ନୀଳ ଓ ବାଇଗଣୀ ହୋଇଥିବା ବେଳେ ଜଗନ୍ନାଥ ମହାପ୍ରଭୁଙ୍କ ହାତରେ ଲାଗି ହେଉଥିବା ରାକ୍ଷୀର ରଙ୍ଗ ହେଉଛି ନାଲି ଓ ହଳଦିଆ। ଆଜି ମହାପ୍ରଭୁ ବଳଭଦ୍ରଙ୍କ ମଧ୍ୟ ଜନ୍ମୋତ୍ସବ।

 

You might also like