ଲଗାଣ ବର୍ଷାରେ ଭାଙ୍ଗିଲା ବିମାନ ବନ୍ଦର ଓ ରାଜଭବନ ପାଚେରି
ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ରାଜଧାନୀର ଅବସ୍ଥା ବେହାଲ୍ ହୋଇପଡ଼ିଛି। ଗତକାଲି ରାତି ସାରା ପ୍ରବଳ ବର୍ଷା ହେବା ଯୋଗୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ସ୍ଥିତି ଅତ୍ୟନ୍ତ ସଙ୍ଗୀନ ହୋଇପଡ଼ିଛି।
ଲଗାଣ ବର୍ଷାରେ ରାଜଭବନ ହରିଣ ପାର୍କର ପାଚେରୀ ଭାଙ୍ଗି ଯାଇଛି। ଫଳରେ ପାର୍କରେ ଥିବା ଏକାଧିକ ହରିଣ ବାହାରି ପଳାଇ ଯାଇଥିବା ଜଣାପଡ଼ିଛି। ସେହିପରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ପାଚେରି ମଧ୍ୟ ଭୁଶୁଡ଼ି ଯାଇଛି। କାର୍ଗିଲ ବସ୍ତି ପଟକୁ ରହିଥିବା ପାଚେରି ଭୁଶୁଡ଼ି ପଡ଼ିଛି।
ନୟାପଲ୍ଲୀ ଅଞ୍ଚଳରେ ଅଣ୍ଟାଏ ଉଚ୍ଚରେ ପାଣି ଜମି ଥିବାବେଳେ ଅନେକ ସ୍ଥାନରେ ଲୋକଙ୍କ ଘରେ ପାଣି ପଶି ଯାଇଛି। ଫଳରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଜୟଦେବ ବିହାର ଓ ଆଚାର୍ଯ୍ୟ ବିହାର ତଳି ଅଞ୍ଚଳରେ ନଈ ଭଳି ସୁଅ କାଟି ପାଣି ଚାଲୁଛି। ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରୁଛନ୍ତି।
ସେହିପରି ରବି ଟକିଜ୍, ପୁରୁଣା ଭୁବନେଶ୍ୱର, ଝାରପଡ଼ା ଓ ବାଣୀବିହାର ଅଞ୍ଚଳର ତଳିଆ ସ୍ଥାନରେ ମଧ୍ୟ ଲୋକଙ୍କ ଘରେ ପାଣି ପଶିଛି।