ରାଜଧାନୀରେ ପୁଣି ଡ୍ୟାନ୍ସ ବାର୍‌ରେ ଚଢ଼ଉ

ଭୁବନେଶ୍ୱର: ରାଜଧାନୀରେ ପୁଣି ଡ୍ୟାନ୍ସ ବାର୍‌ରେ ଚଢ଼ଉ। ଲାଇସେନ୍ସ ନ ଥାଇ ବେଆଇନ୍‌ ଭାବରେ ଡ୍ୟାନ୍ସ ବାର୍‌ରେ ନୃତ୍ୟଗୀତ ଚାଲୁଥିବା ସମୟରେ ପୁଲିସ୍‌ ଚଢ଼ଉ କରିଛି। ଗତକାଲି ରାତିରେ ସ୍ପେଶାଲ ସ୍କ୍ୱାଡ୍‌ ଓ ପୁଲିସ୍‌ ଟିମ୍ ମିଳିତ ଭାବେ ରାଜଧାନୀର ୩ଟି ବାର୍‌ ଉପରେ ଚଢ଼ଉ କରିଥିଲେ। ଡ୍ୟାନ୍ସ କରୁଥିବା ୭ରୁ ୮ ଜଣ ଯୁବତୀଙ୍କୁ ପୁଲିସ୍‌ ଉଦ୍ଧାର କରିଛି।

ବାର୍‌କୁ ସିଲ୍‌ କରାଯିବା ସହ ବାର୍‌ର କର୍ମଚାରୀଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ଲାଇସେନ୍ସ ନ ଥାଇ ଯୁବତୀଙ୍କୁ ବାର୍‌ରେ ଡ୍ୟାନ୍ସ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା।

ସୂଚନାଥାଉ କି, ଶୁକ୍ରବାର ରାତିରେ ମଧ୍ୟ ଏକ ଡ୍ୟାନ୍ସ ବାର୍‌ ଉପରେ କମିଶନରେଟ୍‌ ପୁଲିସ୍‌ର ଚଢ଼ଉ କରିଥିଲା। ଏଥିସହ ବାର୍‌ର ୨ଜଣ କର୍ମଚାରୀଙ୍କୁ ପୁଲିସ୍‌ ଅଟକ ରଖିବା ସହ ବାର୍‌କୁ ମଧ୍ୟ ସିଲ୍‌ କରି ଦେଇଥିଲା। ଡ୍ୟାନ୍ସ ବାର୍‌ରେ ନୃତ୍ୟଗୀତ ପାଇଁ ଲାଇସେନ୍ସ ନ ଥିବା ଓ ମ୍ୟୁଜିକାଲ ଇଭେଣ୍ଟ ଅନୁମତି ନ ଥିବା ସତ୍ତ୍ୱେ ବି ଏସବୁ ଖୁଲମଖୁଲା ଚାଲିଥିବା ନେଇ ଅଭିଯୋଗ ହୋଇଛି।

ସଞ୍ଜ ନଇଁବା କ୍ଷଣି ରାଜଧାନୀରେ ଏମିତି ରଙ୍ଗୀନ ଆସର ଜମୁଥିବା ସମସ୍ତେ ଜାଣନ୍ତି। ହେଲେ ଶୁଣି ଆଶ୍ଚର୍ଯ୍ୟ ହେବେ ଏ ବର୍ଷ କୌଣସି ଗୋଟିଏ ବାର୍‌କୁ ପ୍ରଶାସନିକ ଅନୁମତି ମିଳିନାହିଁ ବୋଲି ଏକ୍‌ସାଇଜ୍‌ ସୁପରିଟେଣ୍ଡେଣ୍ଟ୍‌ କହିଛନ୍ତି ।

You might also like