କାହିଁକି ଖୋଲିଲାନି ଶ୍ରୀମନ୍ଦିର ଭିତର ଭଣ୍ଡାର : ବାହାରୁ ଥାଇ କେମିତି ଯାଞ୍ଚ କଲା କମିଟି, ପ୍ରଶ୍ନ ଉଠାଇଲେ ସେବାୟତ

ପୁରୀ : କେତେ ଆୟୋଜନ, କେତେ ଉତ୍କଣ୍ଠା। ହେଲେ ମାତ୍ର ୪୫ ମିନିଟ୍‌ରେ ସରିଗଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଯାଞ୍ଚ। କେବଳ ବାହାର ଭଣ୍ଡାରରୁ ଥାଇ କେମିତି ଜାଣି ହୋଇଗଲା ଭିତର ଭଣ୍ଡାରର ସ୍ଥିତି ? ଯାହାକୁ ନେଇ ବି ଉଠିଛି ଦ୍ୱନ୍ଦ୍ୱ ଓ ପ୍ରଶ୍ନ ? ବାହାର ଭଣ୍ଡାରରୁ ଜାଲି ବାଟେ ସର୍ଚ୍ଚ ଲାଇଟ୍ ପକାଇ ଗୁପ୍ତ ଭଣ୍ଡାର କାନ୍ଥ ଏବଂ ଛାତ ସବୁ କେମିତି ସ୍ପଷ୍ଟ ଦେଖାଯାଉଥିଲା? ଯାହା ଫଳରେ ଭିତରକୁ ଯାଇ ଆଉ ଯାଞ୍ଚର ଆବଶ୍ୟକତା ପଡିଲାନି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଲେ ? ତାଙ୍କର ଏ ସଫେଇ କିନ୍ତୁ ସନ୍ତୁଷ୍ଟ କରିପାରିନି ସେବାୟତ, ଗବେଷକ ଓ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ।

କୁହାଯାଉଛି ଭିତର ଭଣ୍ଡାର ଚାବି ନମିଳିବାରୁ ଏଭଳି ଅବସ୍ଥା ହୋଇଛି। ତାହାଲେ ପ୍ରଶ୍ନ, କଣ ସଠିକ୍ ଚାବି ନେଇ ଯାଇନଥିଲେ କି ଗଜପତିଙ୍କ ପ୍ରତିନିଧି ଓ ମନ୍ଦିର ପ୍ରଶାସନ ? ନା ୧୯୮୪ ମସିହାରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଅଳଙ୍କାର ଗଣତି ପରେ ହଜିଯାଇଛି କି ସେ ଗୁପ୍ତ କୋଠରୀର ଚାବି ?

କାହିଁକି ରତ୍ନ ଭଣ୍ଡାରର ରହସ୍ୟ ଭେଦ କରି ପାରିଲେନି ଯାଞ୍ଚ କମିଟି ? ସମ୍ଭାବ୍ୟ ଅଘଟଣର ଭୟ ନା ଶ୍ରୀମନ୍ଦିର ପ୍ରଶାସନର ଅପରିପକ୍ୱତା ? ତାକୁ ନେଇ ବି ଚାଲିଛି ଅନେକ ଚର୍ଚ୍ଚା ଓ ଆଲୋଚନା। ଏମିତିକି ଗଜପତି ମହାରାଜା ନିଜେ ଯାଇଥିଲେ ହୁଏତ ଏଭଳି ସମସ୍ୟା ହୋଇନଥାନ୍ତା ଓ ଭିତର ଭଣ୍ଡାରର ଚାବି ଭାଙ୍ଗିବାକୁ ଅନୁମତି ମିଳିଥାନ୍ତା ବୋଲି କହିଛନ୍ତି କିଛି ସେବାୟତ। ତାସହ ଶ୍ରୀମନ୍ଦିର ପରମ୍ପରା ସହ ଗଭୀର ସମ୍ପର୍କ ରଖୁଥିବା ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଠାରୁ ପରାମର୍ଶ ନନେବା ମଧ୍ୟ ମନ୍ଦିର ପ୍ରଶାସନ ପାଇଁ ମହଙ୍ଗା ପଡିଲା ବୋଲି ମଧ୍ୟ ମତ ପ୍ରକାଶ ପାଇଛି।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଯେତିକି ରହସ୍ୟମୟ,ଏବେ ତା’ଠୁ ଅଧିକ କୁହେଳିକା ପୂର୍ଣ୍ଣ ହୋଇଯାଇଛି ଏହାର ଯାଞ୍ଚ ପ୍ରକ୍ରିୟା। ସେପଟେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ୍ ଆଜି କହିଛନ୍ତି, ଶ୍ରୀମନ୍ଦିର ଭିତର ଭଣ୍ଡାର ଚାବି କେବେ ବି ଜିଲ୍ଲା ଟ୍ରେଜେରୀରେ ଜମା କରାଯାଇନି। ଶ୍ରୀମନ୍ଦିର ଚେଷ୍ଟରୁ ୫ଟି ଚାବି ନେଇ ଯାଞ୍ଚ କମିଟି ଯାଇଥିଲେ। ହେଲେ ଆବଶ୍ୟକ ନପଡିବାରୁ ଭିତର ଭଣ୍ଡାର ଖୋଲିନଥିଲେ। ତାସହ ଭିତର ଭଣ୍ଡାରର ମରାମତି ଆବଶ୍ୟକ ଥିବା କହିଛନ୍ତି ଜିଲ୍ଲାପାଳ।

You might also like