ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନୀତି ପ୍ରଶାସକଙ୍କ ରିପୋର୍ଟ
ପୁରୀ : ମହାପ୍ରଭୁଙ୍କ ନୀତିରେ କେମିତି ବିଶୃଙ୍ଖଳା ହେଲା ସେନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ, ମୁଖ୍ୟ ପ୍ରଶାସକଙ୍କୁ ଏକ ରିପୋର୍ଟ ଦେଇଛନ୍ତି। ଏଥିରେ ବିଭିନ୍ନ ନିଯୋଗର କିଛି ସେବକଙ୍କ ବିଶୃଙ୍ଖଳାକୁ ଦାୟୀ କରିଛନ୍ତି। ସେମାନେ ସେବା ନକରିବାକୁ ଅନ୍ୟ ସେବକଙ୍କୁ ଉସ୍କାଇବା କାରଣରୁ ଏଭଳି ବିଶୃଙ୍ଖଳା ସୃଷ୍ଟି ହୋଇଥିବା ଦର୍ଶାଇଛନ୍ତି।
ଏହି ରିପୋର୍ଟରେ ଜଗନ୍ନାଥ ବାଡ଼ର ଭିତରଚ୍ଛ ଭବାନୀଶଙ୍କର ମହାପାତ୍ର ଓ ସୁଆର ମହାସୁଆର ନିଯୋଗର ସଂପାଦକ ଦାମୋଦର ମହାସୁଆର ଶ୍ରୀଜିଉଙ୍କ ନୀତିରେ ବାଧାସୃଷ୍ଟି କରିଥିବା ଉଲ୍ଲେଖ କରିଛନ୍ତି। ପାଳିଆ ସେବାୟତଙ୍କ ଅନୁପସ୍ଥିତିରେ ବିକଳ୍ପ ଭାବେ ଅନ୍ୟ ଜଣେ ସେବାୟତଙ୍କ ଦ୍ୱାରା ନୀତି ସଂପାଦନ କରାଇବାକୁ ଶ୍ରୀମନ୍ଦିର ପ୍ରଶାସନ କହିଥିଲେ ମଧ୍ୟ ସେବାୟତମାନେ ଏନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଚାହିଁଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।
ସୁଆର ସେବାୟତମାନେ ଦାବି ପୂରଣ ପାଇଁ ମହାପ୍ରସାଦ ସେବାରୁ ନିବୃତ୍ତ ରହିବାରୁ ୪ଦିନ ଧରି ଅବଢା ମିଳି ପାରି ନଥିଲା। ଏଥିଯୋଗୁ ଭକ୍ତମାନେ ମହାପ୍ରଭୁଙ୍କୁ କେବଳ ଦର୍ଶନ କରି ଆନନ୍ଦ ବଜାରରୁ ଖାଲି ହାତରେ ଫେରିବାକୁ ବାଧ୍ୟ ହୋଇଥିଲେ।