ସମ୍ପୂର୍ଣ୍ଣ ହୋଇଥିବା ଜଳଯୋଗାଣ ପ୍ରକଳ୍ପ ଆରମ୍ଭ କର : ସାଂସଦ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲାରେ ସାଂସଦ ପାଣ୍ଠିରେ ସମ୍ପୂର୍ଣ୍ଣ ହୋଇଥିବା କିମ୍ବା ପ୍ରାୟ ସମ୍ପୂର୍ଣ୍ଣ ହେବାକୁ ଥିବା ଜଳଯୋଗାଣ ପ୍ରକଳ୍ପ ଗୁଡିକୁ ଜନସାଧାରଣଙ୍କ ପାଇଁ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। କିଛି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଆନୁଷ୍ଠାନିକ ଉଦଘାଟନ କାରଣରୁ ଆରମ୍ଭ ହୋଇପାରିନାହିଁ। ତେବେ ବର୍ତ୍ତମାନ ସମୟରେ ଜନତାଙ୍କ ଜଳକଷ୍ଟ ବୃଦ୍ଧି ପାଇଥିବାବେଳେ ଆନୁଷ୍ଠାନିକ ଉଦଘାଟନକୁ ଅପେକ୍ଷା ନକରି ଏ ସମସ୍ତ ପ୍ରକଳ୍ପକୁ ଆରମ୍ଭ କରିବାକୁ ସେ ଜିଲ୍ଲାପାଳ ରେଘୁ ଜି.ଙ୍କୁ ଅନୁରୋଧ କରିଛନ୍ତି।

ବର୍ତ୍ତମାନ ସଂସଦ ବଜେଟ୍ ଅଧିବେଶନ ଜାରି ରହିଥିବାରୁ ସେ ଏହି ସବୁ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ନାହିଁ। ସଂସଦ ଅଧିବେଶନ ଶେଷ ହେବାପରେ ପରବର୍ତ୍ତୀ ସମୟରେ ଏହି ସବୁ ପ୍ରକଳ୍ପର ଉଦଘାଟନ ନେଇ ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରାଯିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

MPLAD ପାଣ୍ଠିରେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକର ତିଲକପୁର, ମାର୍ଶାଘାଇ, ଆଳି ବ୍ଲକର ସଂସିଢା, ମାର୍ଶାଘାଇ ବ୍ଲକର ଜଳପୋକ, କେନ୍ଦ୍ରାପଡ଼ ବ୍ଲକ ଗୋଗୁଆ ଏବଂ ସାଲେପୁର ବ୍ଲକ ମହାଜନପୁରରେ ଚାଲିଛି ଏହିସବୁ ଓଭରହେଡ୍ ଟ୍ୟାଙ୍କର ନିର୍ମାଣ କାମ।