ବିଜୁ ଏକ୍ସପ୍ରେସ୍ ୱେରେ ଟୋଲ୍ ଆଦାୟକୁ ବିରୋଧ : ୧୦ ନମ୍ବର ରାଜ୍ୟ ରାଜପଥର କେବଳ ଉନ୍ନତିକରଣ ହୋଇଥିବାରୁ ପୁଣି କାହିଁକି ଟୋଲ୍ ବୋଲି ଲୋକଙ୍କ ପ୍ରଶ୍ନ
ସୁନ୍ଦରଗଡ଼ : ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେର ମସନକାନୀରେ ଟୋଲ୍ ଆଦାୟକୁ ସୁନ୍ଦରଗଡ଼ ନାରଗିକ କମିଟିର ବିରୋଧ। ପ୍ରତିବାଦ ଜଣାଇବା ଲାଗି ନାଗରିକ କମିଟି ଆସନ୍ତାକାଲି ସୁନ୍ଦରଗଡ଼ ବନ୍ଦ ଡାକରା ଦେଇଛି।
କମିଟିର ଯୁକ୍ତି ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ପାଇଁ ଟୋଲ ଆଦାୟ ହେଉଥିଲ।। ଜିଲ୍ଲାବାସୀ ଦୀର୍ଘ ୧୭ ବର୍ଷ ଟୋଲ୍ ଦେଇଛନ୍ତି। ଏବେ ଏହି ରାସ୍ତାର କେବଳ ଉନ୍ନତିକରଣ କରାଯାଇ ଏହାକୁ ବିଜୁ ଏକ୍ସପ୍ରେସ ୱେ ନାଁରେ ନାମିତ କରାଯାଇଛି। ତେଣୁ ପୁଣି ଥରେ କାହିଁକି ଟୋଲ୍ ଆଦାୟ କରାଯିବ ବୋଲି କମିଟି ପ୍ରଶ୍ନ କରିଛି। କେବଳ ସୁନ୍ଦରଗଡ଼ ନୁହେଁ ଏକ୍ସପ୍ରେସ୍ ୱେର ସମ୍ବଲପୁର ରେଙ୍ଗାଲି ଓ ରାଜଗାଙ୍ଗପୁର ଲାଇଙ୍ଗରେ ଥିବା ଟୋଲ୍ ଗେଟ୍ରେ ଟୋଲ୍ ଆଦାୟକୁ ମଧ୍ୟ ସ୍ଥାନୀୟ ଲୋକ ଜୋରଦାର ବିରୋଧ କରିଛନ୍ତି। ସମ୍ବଲପୁର ଜିଲ୍ଲାର ଗାଡିକୁ ଟୋଲ୍ ଆଦାୟରୁ ବାଦ୍ ଦେବାକୁ ଲୋକେ ଦାବି କରିଛନ୍ତି।
ସମ୍ବଲପୁର ଓ ରାଜରାଙ୍ଗପୁର ତୁଳନାରେ ସୁନ୍ଦରଗଡ଼ ଟୋଲ୍ ଗେଟ୍ରେ ଦୁଇ ଗୁଣା ଟୋଲ୍ ଆଦାୟ କରାଯାଉଛି। ଯାହାକୁ ଜିଲ୍ଲାବାସୀ ବିରୋଧ କରିଛନ୍ତି। ତେବେ ସରକାର କହିଛନ୍ତି ଯେ, ବିଜୁ ଏକ୍ସପ୍ରେସ ୱେ ପିପିପି ମୋଡ୍ରେ ତିଆରି ହୋଇଛି। ତେଣୁ ବିନିଯୋଗ ଅର୍ଥ ଉଠିବା ପର୍ଯ୍ୟନ୍ତ ଟୋଲ୍ ଆଦାୟ କରିବାକୁ ପଡିବ ବୋଲି ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି।
ରାଜ୍ୟ ସରକାର ୩୪ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିବା ବେଳେ ଅବଶିଷ୍ଟ ୬୬ ପ୍ରତିଶତ ଅର୍ଥ ଏଲ୍ଆଣ୍ଡ ଟି ବିନିଯୋଗ କରିଛି। ଏକ୍ସପ୍ରେସରେ ପ୍ରତିଷ୍ଠା କରାଯାଇଥିବା ୩ଟି ଟୋଲ୍ ଗେଟ୍ ଜରିଆରେ ଦିନକୁ ୫୦ ଲକ୍ଷ କରି ୧୯ ବର୍ଷ ଯାଏଁ ଟୋଲ୍ ଆଦାୟ ଲାଗି ଲକ୍ଷ୍ୟ ରହିଛି।
ତେବେ ସମସ୍ତ ୩ଟି ଜିଲ୍ଲାର ଲୋକ ଏହାକୁ ଜୋରଦାର ବିରୋଧ କରୁଥିବାରୁ ସରକାରଙ୍କ ଆଭିମୁଖ୍ୟ କଣ ରହୁଛି ତା ଉପରେ ନଜର ରହିଛି।
ଦେଖନ୍ତୁ ଏହି ଭିଡ଼ିଓ-