ଟ୍ରକ୍ ଧକ୍କାରେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

କ୍ଷତିପୂରଣ ଏବଂ ହମ୍ପସ୍ ନିର୍ମାଣ ଦାବିରେ ରାସ୍ତା ଅବରୋଧ

ସୁନ୍ଦରଗଡ଼ : ଟ୍ରକ୍ ଧକ୍କାରେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ମହୁଲପଡା ଥାନା ସିହିଡିହା ଗାଁରେ ଉତ୍ତେଜନା। କ୍ଷତିପୂରଣ ଏବଂ ହମ୍ପସ୍ ନିର୍ମାଣ ଦାବିରେ ସ୍ଥାନୀୟ ଲୋକେ ବାରକୋଟ-କଲେଇପୋଷ ରାସ୍ତା ଅବରୋଧ କରିଛନ୍ତି।

ପାଖ ଗାଁର ରଶ୍ମୀ ଗିରି ଅାଜି ଦିନ ସାଢେ ୧୦ଟା ବେଳେ ପାହାଡି ଭୂୟାଁ ଅାବାସିକ ବିଦ୍ୟାଳୟରେ ପାଠ ପଢୁଥିବା ନିଜ ସାନ ଭାଇକୁ ଦେଖିବାକୁ ସିହିଡିହା ଯାଇଥିଲେ। ଏହି ସମୟରେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେ ପ୍ରାଣ ହରାଇଥିଲେ। ଏହାକୁ ନେଇ ଉତ୍ତେଜନା ଦେଖାଦେବା ସହ ଲୋକେ ରାସ୍ତା ଅବରୋଧ କରିଥିଲେ। ମହୁଲପଦା ପୁଲିସ୍‌ ଓ ବଣାଇ ଅତିରିକ୍ତ ଉପ-ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ହେଁ ରାସ୍ତା ଅବରୋଧ ହଟିନାହିଁ।

ସେହିପରି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଲକ୍ଷ୍ମଣପଲ୍ଲୀ ଗାଁରେ ବସ୍  ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର ହୋଇଛନ୍ତି। ଓଡଗାଁ ଥାନା ଅଞ୍ଚଳର ହାଡିଅା ପଲ୍ଲୀ ଗାଁର ଭରତ ସାହୁ ଓ ତାଙ୍କ ସ୍ତ୍ରୀ ସରୋଜିନୀ ସାହୁ ବ୍ରହ୍ମପୁରରେ ପାଠ ପଢୁଥିବା ପୁଅକୁ ଭେଟି ବାଇକ୍‌ରେ ଘରକୁ ଫେରୁଥିଲେ। ଏହି ସମୟରେ ବାବା ପଞ୍ଚାନନ ନାମକ ଏକ ଘରୋଇ ବସ୍ ଲକ୍ଷ୍ମଣପଲ୍ଲୀ ଗାଁରେ ବାଇକ୍‌କୁ ଧକ୍କା ଦେଇଥିଲା।

ଫଳରେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତାରେ ପଡିଯାଇଥିଲା ବେଳେ ସରୋଜିନୀଙ୍କ ଉପରେ ବସ୍‌ଟି ମାଡିଯାଇଥିଲା। ଘଟଣାସ୍ଥଳରେ ସରୋଜିନୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଗୁରୁତର ଭରତଙ୍କୁ ପୋଲସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

You might also like