ରତ୍ନଭଣ୍ଡାର ଚାବି ହଜିବା ପ୍ରତିବାଦରେ ପୁରୀରେ ଜଗନ୍ନାଥପ୍ରେମୀଙ୍କ ବିକ୍ଷୋଭ

ପୁରୀ : ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ କାହିଁକି ଚୁପ୍ ସରକାର ? ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାରଙ୍କ ରହସ୍ୟମୟ ନିରବତାର ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜଗନ୍ନାଥପ୍ରେମୀ।  ଏପରିକି ଆଇନ୍‌ମନ୍ତ୍ରୀଙ୍କ ଇସ୍ତଫା ଦାବି ବି ଉଠିଛି। ବିଜେପି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଥିଲା ବେଳେ ପୁରୀ ଯୁବ କଂଗ୍ରେସ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ସେପଟେ ଶଙ୍କରାଚାର୍ଯ୍ୟ ମଧ୍ୟ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି।

ସେପଟେ ଏଇ ଘଟଣାକୁ ନେଇ ରାଜନୀତି ବି ତେଜିଛି। ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଅଭିଯୋଗ କରିଛି ରାଜ୍ୟ ସରକାର ଜଗନ୍ନାଥଙ୍କ ସହ ସାଢ଼େ ୪କୋଟି ଓଡ଼ିଆଙ୍କ ଭାବେବେଗ ସହ ଖେଳୁଛନ୍ତି। ଚାବି ହଜିଥିବା ସତ୍ୟ ନା ମିଥ୍ୟା, ସରକାର ଏଯାଏ କଣ ପଦକ୍ଷେପ ନେଇଛନ୍ତି ସେ ବାବଦରେ ନିଜେ ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ରଖିବାକୁ ଦଳ ଦାବି କରିଛି।

ସେପଟେ ପୁରୀ ଯୁବ କଂଗ୍ରେସ ମଧ୍ୟ ଏଇ ଘଟଣାରେ ସିଂହଦ୍ୱାର ଥାନାରେ ଏତଲା ଦେଇ ୧୯୭୮ରୁ ୨୦୧୮ ପର୍ଯ୍ୟନ୍ତ, ରତ୍ନଭଣ୍ଡାର ଚାବି ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି। ପିସିସି ସଭାପତି ମଧ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ହେଲେ ପୁରା ଘଟଣାରେ ଏବେ ବି ଚୁପ୍ ସରକାର। ଆଜି ସାମ୍ବାଦିକଙ୍କ ଏ ସଂପର୍କିତ ପ୍ରଶ୍ନକୁ ଶୁଣି ନଶୁଣିଲା ଭଳି ଏଡ଼ାଇ ଯାଇଛନ୍ତି ଆଇନ୍‌ମନ୍ତ୍ରୀ।

ପରିଚାଳନା କମିଟି ବୈଠକ ବିବରଣୀ ଆଧାରରେ ଭିତର ଭଣ୍ଡାର ଚାବି ହଜିଯାଇଥିବା ସ୍ପଷ୍ଟ ହେବା ଏବଂ ଏନେଇ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ପରଠୁ ସାରା ରାଜ୍ୟରେ ଉଦ୍‌ବେଗ, ହେଲେ ଏନେଇ ସରକାର କାହିଁକି ମୁହଁ ଖୋଲୁନାହାନ୍ତି ତାହାହିଁ ବଡ଼ ପ୍ରଶ୍ନ, ବଡ଼ ରହସ୍ୟ।

You might also like