ଭୂଷଣ କାରଖାନାରୁ ନିର୍ଗତ ପାଉଁଶ ହଟାଇବା ଦାବିରେ ଆନ୍ଦୋଳନ

ଝାରସୁଗୁଡ଼ା  : ପାହାଡର ଭ୍ରମ ସୃଷ୍ଟି କରୁଛି କାରଖାନାରୁ ନିର୍ଗତ ପାଉଁଶ ଗଦା। ଝାରସୁଗୁଡା ବଡମାଲ ପଞ୍ଚାୟତ ଅନ୍ତର୍ଗତ ପଣ୍ଡରିପଥର ଗାଁ ଆଖପାଖରେ କୁଢାଯାଇଛି ଏଭଳି ପାଉଁଶ। ସମ୍ବଲପୁର ଜିଲ୍ଲା ଭୂଷଣ କାରଖାନାରୁ ଶହ ଶହ ଡମ୍ପର ଓ ଟ୍ରକ୍‌ରେ ବୁହା ହୋଇ ଏଠାରେ ଗଦା କରାଯାଇଛି ପାଉଁଶ। ଗତ ୧୫ ଦିନ ହେଲାଣି ପଣ୍ଡରିପଥର, ବେହେରାପାଟ, ସିଂହାବଗାଠାରେ ପାଉଁଶ କୁଢାଯାଉଛି। ଏଥିପାଇଁ ବିରୋଧ ଆରମ୍ଭ କରିଦେଇଛନ୍ତି ସ୍ଥାନୀୟ ବାସିନ୍ଦା। ବଡମାଲ ଥାନାରେ ଲିଖିତ ଅଭିଯୋଗ କରିବା ସହ ଗାଡି ଗୁଡିକ ଅଟକ ରଖିଛନ୍ତି ଗ୍ରାମବାସୀ। ପ୍ରଦୂଷଣ ବଢିବା ସହ ଚାଷ ଜମି ପ୍ରଭାବିତ ହେଉଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା।

ଖାଲି ଏତିକି ନୁହେଁ, ଚିରସ୍ରୋତାରୁ ବାହାରିଥିବା ନାଳକୁ ମାଟି ପକାଇ ପୋତାଯାଉଛି। ପୂର୍ବରୁ ଏହି ନାଳ ପାଣିକୁ ଲୋକେ ଗାଧୋଇବା ପାଇଁ ବ୍ୟବହାର କରିବା ସହ ପନିପରିବା ଚାଷ କରୁଥିଲେ। କିନ୍ତୁ ଏବେ ଏଥିରୁ ବଞ୍ଚିତ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ପାଉଁଶ ହଟା ନଗଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ଏପଟେ ତଦନ୍ତ କରାଯାଇ ରାଜ୍ୟ ପ୍ରଦୂଷଣ ବୋର୍ଡକୁ ଅବଗତ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ। ତେବେ ଏନେଇ ଭୂଷଣ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

You might also like