ରାଜ୍ୟବ୍ୟାପୀ ଚାଲିଥିବା ଘରୋଇ ବସ୍ ଧର୍ମଘଟ ପ୍ରତ୍ୟାହୃତ : ସଂଧ୍ୟା ୫ଟାରୁ ବସ୍ ଚଳାଚଳ ସ୍ୱାଭାବିକ

ଭୁବନେଶ୍ୱର : ଆଜି ରାଜ୍ୟବ୍ୟାପୀ ଚାଲିଥିବା ବସ୍ ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ବସ୍ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ ଏହି ସୂଚନା ଦେଇଛନ୍ତି। ସାଧାରଣ ପରିଷଦ ବୈଠକ ପରେ ଧର୍ମଘଟ ପ୍ରତ୍ୟାହାର ଘୋଷଣା କରାଯାଇଛି।

ସରକାର ବସ୍ ମାଲିକ ସଂଘର ଦାବି ମାନି ନେଇଥିବାରୁ ଆନ୍ଦୋଳନ ହଟିଲା ବୋଲି ବସ୍ ମାଲିକ ସଂଘର ମୁଖପାତ୍ର କହିଛନ୍ତି। ସଂଧ୍ୟା ୫ଟାରୁ ବସ୍ ଚଳାଚଳ ସ୍ୱାଭାବିକ ଭାବେ ଚାଲୁ ହୋଇଛି।

ସୂଚନା ଯେ, ଆଜି ସକାଳ ୬ଟାରୁ ସାରା ରାଜ୍ୟରେ ଆରମ୍ଭ ହୋଇଥିଲା ଘରୋଇ ବସ୍ ଧର୍ମଘଟ। ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟକୁ ଓହ୍ଲାଇଥିଲେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ସରକାରଙ୍କ ସହ ଆଲୋଚନା ସତ୍ତ୍ୱେ ମାଲିକ ସଂଘର ସମ୍ପୂର୍ଣ୍ଣ ଦାବି ପୂରଣ ନହେବାରୁ ଆନ୍ଦୋଳନ କରିବା ନିଷ୍ପତ୍ତିରେ ଅଟଳ ରହିଥିଲେ ଘରୋଇ ବସ୍ ମାଲିକ ସଂଘ। ଫଳରେ ସାରା ରାଜ୍ୟରେ ପ୍ରାୟ ୧୭ ହଜାର ଘରୋଇ ବସ୍ ଚଳାଚଳ ସେବା ସକାଳ ୬ଟାରୁ ଠପ୍ ହୋଇଯାଇଥିଲା।

ସିଟି ବସ୍ ଚଳାଚଳ ରୁଟ୍ ପରିବର୍ତ୍ତନ, ପ୍ରଚଳିତ ମୋଟର ଭେଇକିଲ ଟିକସ ବୃଦ୍ଧି ପ୍ରତ୍ୟାହାର, ଘରୋଇ ବସ୍ ଠାରୁ ଟୋଲ୍ ଆଦାୟ ସମ୍ପୂର୍ଣ୍ଣ ଛାଡ ଆଦି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା ସଂଘ।

 

You might also like