ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ୍

ବଲାଙ୍ଗିର : ଷଡ଼ଯନ୍ତ୍ରର ମଞ୍ଜି ପୋତିଥିଲେ ପୁଞ୍ଜିଲାଲ୍। ପାଟଣାଗଡ଼ରେ ଲୋମଟାଙ୍କୁରା ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଆଉ କେହି ନୁହନ୍ତି ବରଂ ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ମେହେର। କାହିଁକି ଓ କେମିତି ରଚିଥିଲେ ଏ ଭୟଙ୍କର ମର୍ଡର ପ୍ଲଟ, ତାର ଆପାତତଃ ଠୋସ୍ ପ୍ରମାଣ ବି ପାଇ ସାରିଛି କ୍ରାଇମବ୍ରାଞ୍ଚ।

ଏବେ ଚାଲିଛି ତଥ୍ୟ ସଂଗ୍ରହ ସହଯୋଗୀ ଉମେଶ ମଟାରୀ, ଚନ୍ଦ୍ରମଣୀ ମେହେର, ସ୍କାଏ କିଙ୍ଗ୍‌ କୋରିଅର ମାଲିକ ଦିଲ୍ଲୀପ ଦାସ ଓ ଡେଲିଭରି ବୟ ସୁଶାନ୍ତ ସେଠ୍ ଓ ଜେଲ ଫେରନ୍ତା ଚୋରା ବନ୍ଧୁକ ବ୍ୟବସାୟୀ ବୈଭସୂତ ବିନ୍ଧାଣୀଙ୍କ ସାହାଯ୍ୟରେ କେମିତି ହୋଇଥିଲା ପ୍ଲାନ ଆଉଟ୍।

ସେପଟେ ଗତକାଲି ଅଧ୍ୟାପକ ପୁଞ୍ଜିଲାଲ୍‌ଙ୍କ ମେହେରପଡ଼ା ସ୍ଥିତ ପୈତୃକ ଘରୁ ବିସ୍ଫୋରକ ଜବତ ହେବା ସନ୍ଦେହକୁ ଅଧିକ ଦୃଢ଼ୀଭୂତ କରିଛି। ତେବେ ବିସ୍ଫୋରଣର ଟାର୍ଗେଟ୍ ସ୍ଥଳ ପାଟଣାଗଡ଼ ହୋଇଥିଲେ ବି ରାୟପୁର ଥିଲା ଏଣ୍ଟ୍ରି ପଏଣ୍ଟ। ତେଣୁ ରାୟପୁରରେ ଏବେ ବି କ୍ରାଇମବ୍ରାଞ୍ଚର ଏକ ଟିମ୍ ତନାଘନା ଚଳାଇଥିବା କହିଛନ୍ତି ଡିଜିପି।

ମୃତ ସୌମ୍ୟଶେଖରଙ୍କ ମାଆ, ଭଇଁସା କଲେଜ ଅଧ୍ୟକ୍ଷା ପଦରେ ବସିବାକୁ ନେଇ ପୂର୍ବତନ ଅଧ୍ୟକ୍ଷ ପୁଞ୍ଜିଲାଲ ମେହେରଙ୍କ ସହ ବିବାଦ ହିଁ ଏ ଛାତିଥରା ଘଟଣାର ମୂଳ କାରଣ ବୋଲି ଅନୁମାନ କରାଯାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଏହା ସତ ହୋଇଥାଏ, ତାହାଲେ ପୁଞ୍ଜିଲାଲ ରଚିଥିବା ଷଡ଼ଯନ୍ତ୍ରର ଶିକାର ସୌମ୍ୟଶେଖର ହେଲେ କାହିଁକି? କଣ ଟାର୍ଗେଟ୍‌ରେ ମାଆ ସଂଯୁକ୍ତାଙ୍କ ସ୍ଥାନରେ ସେ ଆସିଗଲେ, ନା ପୁରା ସାହୁ ପରିବାରକୁ ଉଡାଇ ଦେବାର ଥିଲା ପ୍ଲାନ୍, ତେବେ ଏସବୁ ଭିତରେ ମୃତ ସୌମ୍ୟଶେଖରଙ୍କ ପତ୍ନୀ ପୁଣି ରଖିଛନ୍ତି ପ୍ରତିକ୍ରିୟା, କହିଛନ୍ତି ମୋ ସଂସାର ଯିଏ ଭାଙ୍ଗିଛି, ତାଙ୍କ ସଂସାର ଭାଙ୍ଗିଯାଉ। ସେପଟେ କିନ୍ତୁ ପୁଞ୍ଜିଲାଲଙ୍କ ପତ୍ନୀ କହିଛନ୍ତି ତାଙ୍କ ସ୍ୱାମୀ ନିର୍ଦ୍ଦୋଷ।

ଫେବ୍ରୁଆରୀ ୨୩ରୁ ଆଜି ଯାଏଁ, ଦୀର୍ଘ ୬୦ ଦିନରୁ ଅଧିକ ସମୟ ଧରି ଗଣମାଧ୍ୟମରେ ଚର୍ଚ୍ଚାରେ ରହି ଆସିଛି ପାଟଣାଗଡ଼ ପାର୍ସଲ ବୋମା ବ୍ଲାଷ୍ଟ କେସ୍। ଏବେ ଅପେକ୍ଷା କେତେ ଶୀଘ୍ର ଘଟଣାର ପର୍ଦ୍ଦାଫାସ୍ କରୁଛି କ୍ରାଇମବ୍ରାଞ୍ଚ।

You might also like