ରେକର୍ଡ ଛୁଇଁଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର : ପୁଣି ତୈଳ ବଜାରରେ ନିଆଁ। ମାସକ ଭିତରେ ପେଟ୍ରୋଲ ଲିଟର ପିଛା ବଢ଼ିଲାଣି ପାଖାପାଖି ଅଢେଇ ଟଙ୍କା। ରାଜଧାନୀ ଭୁବନେଶ୍ୱରରେ ଅାଜି ପେଟ୍ରୋଲ ଲିଟର ୭୭ ଟଙ୍କା ୧୪ ପଇସାରେ ପହଞ୍ଚିଥିବାବେଳେ ଡିଜେଲ ୭୪ଟଙ୍କା ୯୨ ପଇସାରେ ପହଞ୍ଚିଛି।

ବଲାଙ୍ଗିର ଓ ବ୍ରହ୍ମପୁର ଭଳି ସହରରେ ପେଟ୍ରୋଲ ୭୮ ଟଙ୍କା ଓ ଡିଜେଲ୍ ଲିଟର ପିଛା ୭୫ଟଙ୍କା ପାର୍ କରିଛି। ତେବେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପେଟ୍ରୋଲ ୮୦ ଟଙ୍କା ଛୁଇଁଥିବାବେଳେ ରାୟଗଡ଼ାରେ ଅାଜିର ଦର ରହିଛି ୭୯ ଟଙ୍କା ୬୨ ପଇସା। ଯାହାକୁ ନେଇ ଚିନ୍ତାରେ ସାଧାରଣ ଲୋକେ। କହିଛନ୍ତି ତୈଳ ଦର ବୃଦ୍ଧି ବାଧୁଛି, କେତେବେଳେ କମୁଛି ଜଣା ପଡୁନି।

ରାଜଧାନୀ ଦିଲ୍ଲୀରେ ଅାଜି ପେଟ୍ରୋଲ ଲିଟର ପିଛା ୭୮ ଟଙ୍କା ପାର୍‌ କରିଥିବାବେଳେ ଡିଜେଲ୍ ୬୯ ଟଙ୍କା ୭୫ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ସର୍ବାଧିକ ୮୫ ଟଙ୍କା ହୋଇଥିବାବେଳେ କୋଲକାତାରେ ଦର ୮୧ ଟଙ୍କା ଉପରେ ରହିଛି।

ତୈଳ ଦର ବୃଦ୍ଧିର ମୁଖ୍ୟ କାରଣ :  

ଏହା ସହ ତାଳ ଦେଇ ତେଲ ଦର ବଢ଼ିଛି ଦେଶର ଅନ୍ୟ ପ୍ରମୁଖ ମହାନଗରୀ ମାନଙ୍କରେ। ତେବେ ଅହେତୁକ ତୈଳ ଦର ବୃଦ୍ଧିର ମୁଖ୍ୟ କାରଣ ହୋଇଛି ଡଲାର ତୁଳନାରେ ଟଙ୍କାର ଅବମୂଲ୍ୟାୟନ। ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ଅାଜି ୧ ଡଲାର ତୁଳନାରେ ୭୦ ଟଙ୍କା ୫୨ ପଇସାକୁ ହ୍ରାସ ପାଇଛି।  ତାସହ ଅାନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ମଧ୍ୟ ଅନ୍ୟ ଏକ କାରଣ ହୋଇଛି।

ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କରିବାକୁ ବହୁ ଦାବି ଓ ଅାଲୋଚନା ହେଲାଣି, ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ କ୍ଷତି ଅାଶଙ୍କାରେ ଅନେକ ରାଜ୍ୟ ଏ ନେଇ ସହମତି ହେଉନଥିବାବେଳେ କେନ୍ଦ୍ର ସରକାର ମଧ୍ୟ ସେତେଟା ଅାଗ୍ରହ ଦେଖାଉ ନାହାନ୍ତି।

 

You might also like