ରାଉରକେଲା : ଚିକିତ୍ସା ଅବହେଳାରୁ ଗର୍ଭବତୀ ଓ ଗର୍ଭସ୍ଥ ଶିଶୁର ମୃତ୍ୟୁ ଅଭିଯୋଗ। ଏହି ସଂଗୀନ ଅଭିଯୋଗ ଅାସିଛି ରାଉରକେଲା ସରକାରୀ ହସ୍ପିଟାଲରୁ। ସୂଚନା ଅନୁସାରେ ମାଲଗୋଦାମ ବସ୍ତିର ହରିଶ୍ଚନ୍ଦ୍ର ପାତ୍ରଙ୍କ ଗର୍ଭବତୀ ପତ୍ନୀ ଭାମା କିଷାନଙ୍କୁ ଗତକାଲି ରାତି ପ୍ରାୟ ୧୧ଟାରେ ଏହି ହସ୍ପିଟାଲକୁ ଅଣାଯାଇଥିଲା। ସେ ପ୍ରାୟ ସାଢ଼େ ୯ ମାସର ଗର୍ଭବତୀ ଥିଲେ।
ପ୍ରସବ ବେଦନା ହେବାରୁ ହସ୍ପିଟାଲକୁ ତାଙ୍କୁ ଅଣାଯାଇଥିଲା। ନର୍ସ ସ୍ୱାସ୍ଥ୍ୟବସ୍ଥା ଚେକ୍ କରି ଭର୍ତ୍ତି କରାଇଥିଲେ। କିନ୍ତୁ ଅାସିଲେନି ଡାକ୍ତର । ଯେତେବେଳେ ଭାମାଙ୍କ ରକ୍ତଚାପ ବଢ଼ିଗଲା, ଗୋଡ଼ହାତ ଫୁଲିଗଲା, ସେତେବେଳେ ଡାକ୍ତରଙ୍କୁ ଡାକିବାକୁ ତାଙ୍କ ଘରକୁ ଯାଇଥିଲେ ପରିବାର ଲୋକେ। ତଥାପି ଡାକ୍ତର ଅାସିଲେନି।
ଏହାର ବହୁ ସମୟ ପରେ ଅାସିଥିଲେ ଡାକ୍ତର। ସେତେବେଳେକୁ ଭାମାଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏହା ସହିତ ଗର୍ଭସ୍ଥ ଶିଶୁର ବି ମୃତ୍ୟୁ ହୋଇଥିଲା। ଏଥିପାଇଁ ଡାକ୍ତରଙ୍କୁ ଦାୟୀ କରିଛନ୍ତି ପରିବାର ଲୋକେ। ଠିକ୍ ସମୟରେ ଚିକିତ୍ସା କରିଥିଲେ ଦୁଇଟି ଜୀବନ ଯାଇନଥାନ୍ତା ବୋଲି ସେମାନେ ଅଭିଯୋଗ କରିଛନ୍ତି ଏବଂ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କର୍ତ୍ତୃପକ୍ଷ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତେଜନା ଲାଗି ରହିଥିବାରୁ ହସ୍ପିଟାଲରେ ପୁଲିସ ମୁତୟନ କରାଯାଇଛି।