ଇମ୍ଫା ପ୍ରସଙ୍ଗରେ ଟାଟାଙ୍କୁ ଧର୍ମେନ୍ଦ୍ରଙ୍କ ଅପିଲ୍‌

ଭୁବନେଶ୍ୱର : ରାୟଗଡ଼ା ଜିଲ୍ଲା ଥେରୁବାଲିସ୍ଥିତ ଇମ୍ଫା କାରଖାନାରେ ଜାରି ରହିଥିବା ଅଚଳାବସ୍ଥା ପ୍ରସଙ୍ଗରେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ଟ୍ୱିଟ୍ ଜରିଆରେ ଅପିଲ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନକୁ ପ୍ରଭାବିତ କରି ଇମ୍ଫା କଂପାନୀରେ ଚାଲିଥିବା ଅଚଳାବସ୍ଥା ଦୂର କରନ୍ତୁ ବୋଲି ଅପିଲ୍ କରିଛନ୍ତି।

ଅଚଳାବସ୍ଥା ଯୋଗୁଁ ପ୍ଲାଣ୍ଟ ବନ୍ଦ ସହ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଛି। ଏହାଦ୍ୱାରା ଶିଳ୍ପାୟନ ପାଇଁ ଏକ ନକରାତ୍ମକ ବାର୍ତ୍ତା ଯିବ ବୋଲି ଧର୍ମେନ୍ଦ୍ର ଦର୍ଶାଇଛନ୍ତି ଟୁଇଟ୍‌ରେ। ରତନ୍ ଟାଟାଙ୍କୁ ସେ ସମ୍ମୁଖୀନ ହୋଇଥିବା ପଶ୍ଚିମବଙ୍ଗର ସିଙ୍ଗୁର ଘଟଣାକୁ ମନେପକାଇ ଧର୍ମେନ୍ଦ୍ର ଲେଖିଛନ୍ତି, ନାନୋ କାର୍  ତିଆରି କାରଖାନା ପାଇଁ ଜମି ଅଧିଗ୍ରହଣ ବେଳେ ୨୦୦୮ରେ ଟାଟା ମୋଟର୍ସ ମଧ୍ୟ ସମାନ ବିରୋଧର ସମ୍ମୁଖୀନ ହୋଇ ସିଙ୍ଗୁର ଛାଡ଼ିବାକୁ ବାଧ୍ୟ ହୋଇଥିଲା।

ସେହିପରି ପ୍ରତିଶୋଧ ପରାୟଣତା ଓ ସାମୟିକ ସ୍ୱାର୍ଥ ହାସଲ ଲାଗି କିଛି ଲୋକଙ୍କ ଆନ୍ଦୋଳନ ଯୋଗୁଁ ଇମ୍ଫାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଅଘଟଣ ଆଶଙ୍କାରେ ପ୍ଲାଣ୍ଟ ବନ୍ଦ କରି ଦେଇଛନ୍ତି କର୍ତ୍ତୃପକ୍ଷ। ଏଭଳି ପରିସ୍ଥିତି ଶିଳ୍ପାୟନ ପ୍ରକ୍ରିୟା ପ୍ରତି ଏକ ନକରାତ୍ମକ ସଂକେତ ଦେବା ସହ ରାୟଗଡ଼ା ଜିଲ୍ଲାରେ ମାଓ ଗତିବଧି ବଢ଼ିବାରେ ସହାୟକ ହେବ। ଏ ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତୁ । ମୁଖ୍ୟମନ୍ତ୍ରୀ ଓ ପ୍ରଶାସନକୁ ପ୍ରଭାବିତ କରି ଅଚଳାବସ୍ଥା ଦୂର କରିବାକୁ ଧର୍ମେନ୍ଦ୍ର ଅପିଲ୍ କରିଛନ୍ତି।

ସେହିପରି ଆଇନ୍ ପରିଧି ଭିତରେ ବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ତାଙ୍କ ପରାମର୍ଶ ଅଧିକ ଗୁରୁତ୍ୱବହନ କରିବ ବୋଲି ଧର୍ମେନ୍ଦ୍ର ଟୁଇଟ୍ କରିଛନ୍ତି।

You might also like