ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ ; ୧୦ମୃତ, ଅନେକ ଆହତ
ଜାକର୍ତ୍ତା: ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଲୋମ୍ବକ୍ ଦ୍ୱୀପରେ ରବିବାର ପ୍ରାୟ ସକାଳ ୬ଟା ୪୭ ମିନିଟ୍ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ରହିଥିଲା। ଭୂକମ୍ପରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି।
ଏହାର କେନ୍ଦ୍ରସ୍ଥଳ ୭କି.ମି ଗଭୀର ଥିଲା। ବୋଲି ଆମେରିକା ଭୂବୈଜ୍ଞାନିକ ସର୍ଭେ ପକ୍ଷରୁ କୁହାଯାଇଛି। ଇଣ୍ଡୋନେସିଆର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଲୋମ୍ବକ୍ର ମୁଖ୍ୟ ସହର ମାତାରାମ୍ର ୫୦ କି.ମି. ଦୂରରେ ଏହି ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା।
ଅନ୍ୟପକ୍ଷରେ, ଭୂକମ୍ପକୁ ନେଇ କୌଣସି ସୁନାମି ଆଲର୍ଟ ଜାରି କରାଯାଇନି। ଭୂମିକମ୍ପ ବହୁତ ଶକ୍ତିଶାଳୀ ଥିଲା। ତାହା ଏତେ ଭୟଙ୍କର ଥିଲା ଯେ ଲୋକମାନେ ଭୟଭୀତ ହୋଇ ବାହାରକୁ ଚାଲି ଆସିଲେ ବୋଲି ସେଠାକାର ଜଣେ ସ୍ଥାନୀୟ ଅଧିବାସୀ କହିଛନ୍ତି।
ସୂଚନାଥାଉ କି, ୨୦୦୪ ମସିହାରେ ଇଣ୍ଡୋନେସିଆର ସୁମାତ୍ରାରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୯.୩ ଥିଲା। ବଡ଼ଧରଣର ଏହି ଭୂମିକମ୍ପରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।