ଆଳୁ ଦର ନେଇ ଚିନ୍ତାରେ ଖାଉଟୀ: ମନ୍ତ୍ରୀ କହିଲେ ଏଥର କିଲୋ ୪୦ ଛୁଇଁବ
ଭୁବନେଶ୍ୱର: ଆଗକୁ ବଢ଼ିବ ଆଳୁ ଦର। କିଲୋପ୍ରତି ୪୦ ଟଙ୍କା ହେବ। ଅମଳ ସମୟରେ ମଧ୍ୟ ବଢ଼ୁଥିବା ଆଳୁର ଦରକୁ ନେଇ ଖାଉଟୀ ଚିନ୍ତାରେ ଥିବାବେଳେ ଆଜି ଏମିତି ଭବିଷ୍ୟବାଣୀ କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ସେ କହିଛନ୍ତି ଯେ, ଏବର୍ଷ ଦେଶରେ ଆଳୁ ଉତ୍ପାଦନ କମିଥିବାରୁ ଆସନ୍ତା ୩ରୁ ୪ ମାସ ମଧ୍ୟରେ ଦର ୩୦ରୁ ୪୦ ଟଙ୍କା ଛୁଇଁବ। ତେଣୁ ପରିସ୍ଥିତି ଯେପରି ଅଣାୟତ୍ତ ନ ହୁଏ ସେଥିପାଇଁ ନାଫେଡ୍ ଜରିଆରେ ତୁରନ୍ତ ୨୮ରୁ ୩୦ କୋଟି ଟଙ୍କାର ଆଳୁ କିଣି ମହଜୁଦ୍ ରଖିବାକୁ ବିଭାଗ ଯୋଜନା କରୁଥିବା ମନ୍ତ୍ରୀ କହିଛନ୍ତି। ତେବେ ଆଳୁ ଦର ବୃଦ୍ଧିକୁ ନେଇ ମନ୍ତ୍ରୀଙ୍କ ଏପରି ସୂଚନା ବେଆାଇନ୍ ମହଜୁଦକାରୀଙ୍କୁ ପ୍ରୋତ୍ସାହିତ କରିପାରେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ବର୍ତ୍ତମାନ ବଜାରରେ ଆଳୁ ଦର ଯେତିକି ରହିଛି, ତାହା ଆଉ ୩ରୁ ୪ ମାସ ଭିତରେ ୩୦ରୁ ୪୦ ଟଙ୍କାରେ ପହଞ୍ଚିଯିବ। ତେଣୁ ଆଗୁଆ ଆଳୁ କିଣି ମହଜୁଦ କରି ରଖାଯିବ। ଯେତେବେଳେ ଆଳୁ ଦର ବହୁତ ବଢ଼ିଯିବ, ସେତିକିବେଳେ ଏହା ବଜାରକୁ ଛଡ଼ାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅମଳ ସମୟରେ ବି ଆଳୁ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସପ୍ତାହକ ତଳେ କଟକରେ ଆଳୁର ଖାଉଟୀ ଦର ୧୦ ଟଙ୍କା ଥିଲା। ଏବେ ତିନି କିଲୋକୁ ଏହାର ଦର ୪୫ ଟଙ୍କା ଛୁଇଁଲାଣି। ଭୁବନେଶ୍ୱରରେ ବି ଅନୁରୂପ ସ୍ଥିତି। ଆଇଗିଣିଆ ମାର୍କେଟ୍ରେ ହୋଲ୍ସେଲ୍ ଦର କିଲୋ ପିଛା ୧୩ରୁ ୧୪ ଟଙ୍କା ଥିବା ବେଳେ ଖାଉଟି ଦର ୧୫ ଟଙ୍କାରେ ପହଞ୍ଚିଛି।
ବିଭାଗୀୟ ମନ୍ତ୍ରୀଙ୍କ କହିବା ଅନୁଯାୟୀ ଦେଶର ସବୁଠି ଏବର୍ଷ ଆଳୁ ଫସଲର ଖରାପ ସ୍ଥିତି ଯୋଗୁଁ ଦରବଢ଼ିବାର ଆଶଙ୍କା କରି କେନ୍ଦ୍ର ସରକାର ରାଜ୍ୟକୁ ଚିଠି ଲେଖିଛନ୍ତି। ଏଥିପାଇଁ ବିହୀତ ପଦକ୍ଷେପ ନେବାକୁ ମଧ୍ୟ ପରାମର୍ଶ ଦେଇଥିବାରୁ ରାଜ୍ୟ ସରକାର ମଧ୍ୟ ଆଗୁଆ ସ୍ଥିତି ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଉଥିବା ମନ୍ତ୍ରୀ କହିଛନ୍ତି।