ଉତ୍ତରାଖଣ୍ଡ ଜୁଡିସିଆରୀ ପରୀକ୍ଷାରେ ଅଟୋ ଚାଳକଙ୍କ ଝିଅ ଟପ୍ପର୍‌

ଡେରାଡୁନ୍ : ସମୟ ସହ ତାଳ ଦେଇ ଝିଅମାନେ ଆଜି ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖେଇଲେଣି। ପୁରୁଷ ସହ କାନ୍ଧ ମିଶାଇ ସୀମାରେ ଶତ୍ରୁ ସହ ଯୁଦ୍ଧ କରୁଛନ୍ତି। କୁହାଯାଏ ଯେଉଁଠି ପୁରୁଷଟିଏ ହାରିଯାଏ, ନାରୀ ସେଠାରେ ବିଜୟୀ ହୋଇଥାଏ। ଏଣୁ ଝିଅ ବି କିଛି କମ୍‌ ନୁହଁନ୍ତି। ଏକଥାକୁ ନିଜର ଦୃଢ ଇଚ୍ଛାଶକ୍ତି ବଳରେ ପ୍ରମାଣିତ କରିଛନ୍ତି ଡେରାଡୁନ୍‌ର ପୁନମ୍‌ ଟୋଡି। ନିଜର ଅଭାବୀ ପରିବାରରେ ଖୁସିର ଟିକିଏ ଆଲୋକ ଭରିଦେବାରେ ସେ ସଫଳ ହୋଇଛନ୍ତି। ଉତ୍ତରାଖଣ୍ଡ ଲୋକସେବା ଆୟୋଗ ଦ୍ୱାରା କରାଯାଉଥିବା ଜୁଡିସିଆରୀ ପରୀକ୍ଷାରେ ଟପ୍ପର ହୋଇ ପୁନମ୍‌ ତାଙ୍କ ବାପାମାଆଙ୍କୁ ଗୌରବାନ୍ୱିତ କରିଛନ୍ତି।

ଉଲ୍ଲେଖନୀୟ ଯେ, ପୁନମ୍‌ଙ୍କର ପିତା ବୃତ୍ତିରେ ଜଣେ ଅଟୋ ଚାଳକ। ଅଟୋ ଚଳାଇ ଯାହା ଅର୍ଥ ଉପାର୍ଜନ କରନ୍ତି, ସେଥିରେ ଘର ଚଳାଇବା ସହ ଝିଅର ପଢା ଖର୍ଚ୍ଚ ବି ବହନ କରନ୍ତି। ନିଜ ଝିଅର ଇଚ୍ଛାକୁ ପୂରଣ କରିବା ପାଇଁ ଅନେକ ପରିଶ୍ରମ କରିଛନ୍ତି। ନିଜା ଅଭାବରେ ରହିଲେ ବି, ଅଭାବ କଣ ଝିଅକୁ ଅନୁଭବ କରିବାକୁ ଦେଇନାହାଁନ୍ତି। ଝିଅର ଇଚ୍ଛାକୁ ସାକାର କରିବାକୁ ସେ ଦିନରାତି ଏକ୍ କରିଦେଇଛନ୍ତି।

ଗତ ବୁଧବାର ଦିନ ଉତ୍ତରାଖଣ୍ଡ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଜୁଡିସିଆରୀ ସର୍ଭିସ୍‌ ସିଭିଲ୍ ଜଜ୍ ଜୁନିୟର ଡିଭିଜନ-୨୦୧୬ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଉତ୍ତରାଖଣ୍ଡର ୭ ଜଣ ଓ ଉତ୍ତର ପ୍ରଦେଶର ଜଣେ ପରୀକ୍ଷାର୍ଥୀଙ୍କୁ ସଫଳତା ମିଳିଛି। ଆଉ ଏଥିରେ ଟପ୍ପର୍‌ ହୋଇଛନ୍ତି ପୁନମ୍‌। ଡେରାଡୁନର ଧର୍ମପୁରସ୍ଥିତ ନେହେରୁ କଲୋନୀରେ ରହୁଥିବା ପୁନମ୍‌ ୨୦୧୬ରେ ପରୀକ୍ଷା ଦେଇଥିଲେ। ସେ କେବେ ଆଶା କରିନଥିଲେ ପରୀକ୍ଷାରେ ଟପ୍ପର୍‌ ହେବେ।

ପୁନମ୍‌ଙ୍କ ଏହି ସଫଳତାରେ ତାଙ୍କ ମା ଲତା ଟୋଡି ଗର୍ବ ଅନୁଭବ କରି କହିଛନ୍ତି, ମୁଁ ଚାହୁଁଛି କି ସବୁ ମାକୁ ମୋ ଝିଅ ଭଳି ଝିଅଟିଏ ମିଳୁ, ଯିଏକି ପିତାମାତାଙ୍କ ନାଁ ରଖିବ। ପୁନମ୍‌ଙ୍କ ବାପା ଅଶୋକ ଟୋଡି କହିଛନ୍ତି, ମୋ ଝିଅ ଏଥିପାଇଁ ବହୁତ ପରିଶ୍ରମ କରିଛି। ତାକୁ ତା ଭାଇମାନେ ମଧ୍ୟ ବହୁତ ସାହାଯ୍ୟ କରିଛନ୍ତି। ପୁନମ୍‌ ନିଜର ଏହି ସଫଳତାର ଶ୍ରେୟ ନିଜର ପରିବାରକୁ ଦେଇଛନ୍ତି ।

 

 

You might also like