ରାଜଧାନୀ ଭୁବନେଶ୍ୱରକୁ ପ୍ଳାଷ୍ଟିକ ଓ ପଲିଥିନ୍ ଚିନ୍ତା
ଭୁବନେଶ୍ୱର : ପଲିଥିନ୍ମୟ ଭୁବନେଶ୍ୱର। ଛୋଟ ଦୋକାନ ଠାରୁ ଆରମ୍ଭ କରି ବଡବଡ଼ ମଲ୍। ସବୁଠି ଚାଲିଛି ପଲିଥିନ୍ର ଖୋଲାଖୋଲି ବ୍ୟବହାର। ଆଉ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଡମ୍ପିଂୟାର୍ଡରେ ଗଦାଗଦା ହୋଇ ପଡି ରହିଛି ପଲିଥିନ୍ ସାଙ୍ଗକୁ ଅଳିଆ। ରାଜ୍ୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡର ସୂଚନା ଅନୁସାରେ ପ୍ରତିଦିନ ରାଜଧାନୀ ଭୁବନେଶ୍ୱରରୁ ୪ଶହ ମେଟ୍ରିକ୍ ଟନ୍ ସଲିଡ୍ ୱେଷ୍ଟ ଜେନେରେଟ ହେଉଛି । ଯେଉଁଥିରେ ୭ ରୁ ୧୦ ଟନ୍ ରହିଛି ପ୍ଲାଷ୍ଟିକ ଓ ପଲିଥିନ୍। ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ପ୍ଲାଷ୍ଟିକ ୱେଷ୍ଟ ମ୍ୟାନେଜମେଣ୍ଟ ନିମନ୍ତେ ଏକ ଇନ୍ଫ୍ରାଷ୍ଟକଚର୍ ନିତ୍ୟାନ୍ତ ଜରୁରୀ ବୋଲି ରାଜ୍ୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ସିନିଅର୍ ସାଇଣ୍ଟିଷ୍ଟ କହିଛନ୍ତି।
ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାରକୁ ନିୟନ୍ତ୍ରଣ କରିବା ସହ ପରିବେଶ ସୁରକ୍ଷା ରଖିବା ଉଦ୍ଦେଶ୍ୟରେ ଗତ ଜାନୁଆରୀ ମାସରେ ବିଏମ୍ସି ପକ୍ଷରୁ ପ୍ରକାଶ ପାଇଥିଲା ବିଧିବଦ୍ଧ ବିଜ୍ଞପ୍ତି। ଯେଉଁଥିରେ ୫୦ ମାଇକ୍ରେନ୍ରୁ କମ ମୋଟେଇର ପଲିଥିନ୍ କିମ୍ବା ପ୍ଲାଷ୍ଟିକ୍ କ୍ୟାରିବ୍ୟାଗ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଥିଲା। ଏଥିସହ ପିଲିଥିନ୍ ବ୍ୟବହାର ନେଇ ବ୍ୟବସାୟୀଙ୍କୁ ମାସିକ ୪ ହଜାର ଟଙ୍କା ପଞ୍ଜୀକରଣ ଶୁକ୍ଳ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ବିଜ୍ଞପ୍ତିକୁ ୫ମାସ ବିତିଯାଇଥିବାବେଳେ, ଏହାର ଖୋଲାଖୋଲି ଉଲଂଘନ ହେଉଥିବା ଅଭିଯୋଗ ହୋଇଛି। ସେପଟେ ପଲିଥିନ୍ ବ୍ୟାନ ନେଇ ବିଏମ୍ସି ପକ୍ଷରୁ ବିଭିନ୍ନ ସମୟରେ ଚଢଉ କରାଯାଉଥିବା ମେୟର କହିଛନ୍ତି।