ଓଟିଭି ବିତର୍କକୁ ବୟକଟ୍ ଲାଗି ବିଜେଡିର ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନିନ୍ଦା
ଭୁବନେଶ୍ୱର: ଓଟିଭି ବିତର୍କ କାର୍ଯ୍ୟକ୍ରମକୁ ବୟକଟ୍ ଲାଗି ବିଜେଡିର ଘୋଷଣା ପରେ ରାଜନୈତିକ ହଲଚଲ୍। ଅନେକ ରାଜନୈତିକ ଦଳ ଓ ବ୍ୟକ୍ତି ବିଶେଷ ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି। ଗଣମାଧ୍ୟମରେ କଣ୍ଠରୋଧ ଲାଗି ଏହା ପ୍ରୟାସ ବୋଲି ଖୋଲାଖୋଲି ମତ ପ୍ରକାଶ ପାଉଛି। ସହନଶୀଳତାର ଅଭାବ ଯୋଗୁଁ ବିଜେଡି ଏଭଳି ନିଷ୍ପତ୍ତି ନେଇଛି ଓ ଏହା ଗଣତନ୍ତ୍ର ଲାଗି ଶୁଭଙ୍କର ନୁହେଁ ବୋଲି ବିଭିନ୍ନ ଦଳର ନେତା କହିଛନ୍ତି।
ସେପଟେ ବିଜେଡିର କିଛି ନେତା ଆଜି ଓଟିଭିକୁ ବୟକଟ୍ ପ୍ରସଙ୍ଗରେ ମୁହଁ ଖୋଲିଥିଲେ। ଆଉ କିଛି ନେତା ପ୍ରସଙ୍ଗକୁ ଏଡ଼ାଇ ଚାଲିଯାଇଥିଲେ।
ଏପଟେ ବିଜେଡି, ଓଟିଭି ବିରୁଦ୍ଧରେ ଆଣିଥିବା ପକ୍ଷପାତ ଅଭିଯୋଗ ଯେ, ଦଳର ଅସହିଷ୍ଣୁତାକୁ ବୟାନ କରୁଛି। ତାହା ସ୍ପଷ୍ଟ ଗତ କିଛି ଦିନ ହେଲା ଓଟିଭି ବିତର୍କରେ ଭାଗ ନେବାକୁ ଆସୁଥିବା ଦଳର ନିର୍ଦ୍ଦିଷ୍ଟ କିଛି ନେତାଙ୍କ ଆଭିମୁଖ୍ୟ ଓ ଆଚରଣରୁ ଏହା ସ୍ପଷ୍ଟ ହେଉଛି। ବିଜେଡିର ମୁଖପାତ୍ର ଓ ପ୍ୟାନେଲିଷ୍ଟ ତାଲିକାରେ ଥିବା ନେତାଙ୍କୁ ବିତର୍କକୁ ଆସିବା ଲାଗି ଆମନ୍ତ୍ରଣ କରାଯାଉଥିଲେ ଅନେକ ନେତା ଆସିବାକୁ ଅମଙ୍ଗ ହେଉଥିଲେ।
କେବଳ ସେହି ନେତା ଯିଏ କି ତୃତୀୟ ମହଲାରୁ ଓଟିଭିକୁ ଯିବାକୁ ଗ୍ରୀନ୍ ସିଗ୍ନାଲ୍ ପାଉଥିଲେ, ସେମାନେ ହିଁ ବିତର୍କରେ ଭାଗ ନେଉଥିଲେ। ଯେଉଁ ବିଜେଡି ନେତାମାନେ ଓଟିଭିର ବିତର୍କ କାର୍ଯ୍ୟକ୍ରମକୁ ଆସୁଥିଲେ, ସେମାନଙ୍କୁ ପକ୍ଷ ରଖିବାକୁ ପର୍ଯ୍ୟାପ୍ତ ସୁଯୋଗ ମିଳୁଥିଲେ ମଧ୍ୟ ସେମାନେ ପୂର୍ବ ଯୋଜନା ଥିବା ଭଳି ଉଦ୍ଦେଶ୍ୟମୂଳକ ଭାବେ ବିଭ୍ରାଟ ସୃଷ୍ଟି ଲାଗି ଉଦ୍ୟମ କରୁଥିଲେ। ଚାଲି ନଜାଣି ବାଟର ଦୋଷ ଭଳି ନିର୍ଦ୍ଦିଷ୍ଟ ସମୟରେ କିଭଳି ଯୁକ୍ତିସଙ୍ଗତ କଥା କହିହୁଏ, ସେ ଦକ୍ଷତାକୁ ବିଜେଡିର ପ୍ୟାନେଲିଷ୍ଟମାନେ ଆହରଣ ନକରି ଅଯଥା ପାଟିତୁଣ୍ଡ କରିବା ସହ ଅନ୍ୟ ପ୍ୟାନେଲିଷ୍ଟଙ୍କୁ କହିବାକୁ ସୁଯୋଗ ମଧ୍ୟ ଦେଉନଥିଲେ। ଖାଲି ସେତିକି ନୁହେଁ ଲାଇଭ୍ ସୋ’ରେ ଚ୍ୟାନେଲ୍ର ସଂପାଦକୀୟକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବା ସହ ଚ୍ୟାନେଲ୍ ଉପରେ ଚାପ ପକାଇବା ଲାଗି ଅନେକ ଥର ପ୍ରୟାସ କରିଛନ୍ତି।
ଯେକୌଣସି ନ୍ୟୁଜ୍ ଚ୍ୟାନେଲର ବିତର୍କ କାର୍ଯ୍ୟକ୍ରମର ଏକ ନିର୍ଦ୍ଦିଷ୍ଟ ସମୟ ରହିଥାଏ, ଯେଉଁଥିରେ ସମସ୍ତଙ୍କୁ ସେମାନଙ୍କ ପକ୍ଷ ରଖିବାକୁ ଆମେ ସମାନ ସୁଯୋଗ ଦେଇଥାଉ, ଯାହା ଏବେ ବି ଜାରି ରହିଛି। ତେଣୁ ଓଟିଭିର ଭୂମିକା ହଠାତ୍ କେମିତି ଏକପାଖିଆ ହୋଇଗଲା, ସେ ଯୁକ୍ତିକୁ ଅନେକ ଗ୍ରହଣ କରିପାରୁନାହାନ୍ତି। ତେଣୁ ବିଜେଡି ପଳାୟନପନ୍ଥୀ ନହୋଇ ଓଟିଭିର ନିରପେକ୍ଷ ପ୍ଲାଟ୍ଫର୍ମରେ ଦଳ ଓ ସରକାରଙ୍କ କଥା ରଖିଲେ ଦର୍ଶକଙ୍କ ନିକଟରେ ପ୍ରକୃତ ତଥ୍ୟ ପହଞ୍ଚିପାରିବ। ଆଶା କରୁଛୁ ବିଜେଡି ପୁଣିଥରେ ବିତର୍କରେ ଭାଗ ନେଇ ସେମାନଙ୍କ ପକ୍ଷ ଓଟିଭି ମାଧ୍ୟମରେ ରଖିବ।
ଦେଖନ୍ତୁ ଏହି ଭିଡ଼ିଓ-